ବନ ବିଭାଗ ନିଆଁ ଲିଭାଇବାରେ ବିଫଳ , କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରତି ବିପଦ ।

0 208

କନ୍ଧମାଳ,୧୦/୦୩(ପିପିଟି): ମାର୍ଚ୍ଚ ମାସ ଆରମ୍ଭରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଦୁଇଦିନ ହେଲାଣି ଫୁଲବାଣୀ ରେଞ୍ଜ ଅନ୍ତର୍ଗତ କଟ୍ରିଙ୍ଗିଆ, ବେଲପଦର, ପାଙ୍ଗାପାଜୁ, ପାଲ୍‌ଚି, ତୁଡ଼ିପାଜୁ, ଦଡ଼କି, ସାର୍ଭାଗୁଡ଼ା ଓ ଆଲାମି ଆଦି ଜଙ୍ଗଲରେ ନିଆଁ ଲାଗିଛି ଲିଭିବାର ନାଁ ଧରୁନି। କେବଳ ଫୁଲବାଣୀ ରେଞ୍ଜ ନୁହେଁ, ବନାଗ୍ନି ଯୋଗୁଁ କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରତି ସବୁଠୁ ବେଶି ବିପଦ ବଢ଼ି ଯାଇଛି। ରାତିତମାମ୍ ଜଙ୍ଗଲ ଜଳୁଛି। ଫଳରେ ଅନେକ ମୂଲ୍ୟବାନ ଗଛ ପୋଡ଼ିଯାଇଛି। କିନ୍ତୁ ବନ ବିଭାଗ ପହଞ୍ଚିପାରୁନି। ସେହିଭଳି ସୁଡ୍ରକୁମ୍ପା ରେଞ୍ଜ୍ ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟି ଓ ରାଣୀପଥର ଘାଟିରେ ନିଆଁ ଲାଗିଛି। କୋଟଗଡ଼ ରେଞ୍ଜ ଅନ୍ତର୍ଗତ ଦୁର୍ଗାପାଙ୍ଗା, ଡିମିଲି, କାଣିବାରୁ, ପୁଡୁରୁଙ୍ଗି, ବାଣ୍ଡ୍ରାସାଲା ଏବଂ ବେଲଘର ରେଞ୍ଜ ଅନ୍ତର୍ଗତ ରଙ୍ଗାପାରୁ, ଘୁର୍ଲିମାସ୍କା, ଗୁମା, କାଲିଂଗୁଡ଼ା ଜଙ୍ଗଲରେ ନିଆଁ ଲାଗିଛି | ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ପକାରି, ବାଲନ୍ଦାପଡ଼ା, ପାଇରାଜୁ, ସାଡ଼ିଙ୍ଗିଆ ଆଦି ଜଙ୍ଗଲରେ ନିଆଁ ଲାଗିଥିବା ଖବର ମଧ୍ୟ ମିଳିଛି ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମରେ ନିଆଁ ଲିଭାଇବା ପାଇଁ ଯଦିଓ ଫାୟାର ସ୍କ୍ୱାର୍ଡ ଗଠନ କରାଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି। ମାତ୍ର ତାହା ନିଆଁ ଲିଭାଇବାରେ ସଫଳ ହୋଇପାରୁନି। କନ୍ଧମାଳ ଜିଲ୍ଲାରେ ଶତକଡ଼ା ୭୧ ପ୍ରତିଶତ ଭୂମିରେ ଜଙ୍ଗଲ ରହିଥିବା ବେଳେ ଏହାର ୯୫ ପ୍ରତିଶତ ସଂରକ୍ଷିତ ଜଙ୍ଗଲ ଏଠାରେ ଫୁଲବାଣୀ ଓ ବାଲିଗୁଡ଼ା ନାମରେ ଦୁଇଟି ବନଖଣ୍ଡ କାର୍ଯ୍ୟ କରୁଥିବା ବେଳେ ଦୁଇଜଣ ଡିଏଫ୍‌ଓଙ୍କ ତତ୍ତ୍ୱାବଧାନରେ ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ବନାଗ୍ନି ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସହ ବିଭିନ୍ନ ବନାଞ୍ଚଳରେ ଶତାଧିକ ଫାୟାର ସ୍କ୍ୱାର୍ଡ ଗଠନ କରାଯାଇଛି। ଏହା ସତ୍ତ୍ବେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳୁଛି ଏବଂ ବନ ବିଭାଗ ଏହାକୁ ଆୟତ୍ତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବାରୁ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ଦେଖାଦେଇଛି। ରାତି ସମୟରେ ସହର କିମ୍ବା ଗାଁ ବାହାରକୁ ବାହାରିଲେ ସବୁଠି ଜଙ୍ଗଲ ନିଆଁର ଧାସ ଓ ଅଗ୍ନିର ଆଲୋକରେ ଉଜ୍ଜ୍ବଳ ଦିଶୁଛି। ଏଭଳି ସ୍ଥଳେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଆହ୍ବାନପୂର୍ଣ୍ଣ ପାଲଟିଛି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.