ଯାଜପୁର,୨୯/୧୧(ପିପିଟି): ଆଜି ବିଧାନସଭାରେ କୋରେଇର ମାନ୍ୟବର ବିଧାୟକ ଆକାଶ ଦାସନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଜିଲ୍ଲା ଗଠନକୁ ଅନେକ ବର୍ଷ ହୋଇଗଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ଗୁଡିଏ ଜିଲ୍ଲା ରହିଛି ଯେଉଁ ଜିଲ୍ଲା ଗୁଡିକରେ ସବ୍-ଡିଭିଜନ୍ ପ୍ରତିଷ୍ଠା ହୋଇପାରିନାହିଁ । ଯେପରିକି ଯାଜପୁର,ଭଦ୍ରକ, ଜଗତସିଂହପୁର,କେନ୍ଦ୍ରପଡା,ଝାରସୁଗୁଡା ଆଦି ଜିଲ୍ଲାରେ ସବ୍-ଡିଭିଜନ୍ ନାହିଁ । ତେଣୁ ମୋର ଆଜି ଆପଣଙ୍କୁ ଅନୁରୋଧ ରହିବ ଯେ ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ ଏକ ସବ୍-ଡିଭିଜନ୍ ପ୍ରତିଷ୍ଠା କରିବା ପାଇଁ । କାରଣ ବ୍ୟାସନଗର ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଏବଂ ଏ.ଡି.ଜେ. କୋର୍ଟ ମଧ୍ୟ ବ୍ୟାସନଗର ସହରରେ ପ୍ରତିଷ୍ଠା ହୋଇସାରିଛି । ବ୍ୟାସନଗର ସହରରେ ଗୋଟିଏ ସବ୍-ଡିଭିଜନ୍ ପ୍ରତିଷ୍ଠା ହେଲେ କୋରେଇ ନିର୍ବାଚନ ମଣ୍ଡଳୀର ବ୍ୟାସନଗର ପୌରପରିଷଦ, କୋରେଇ ବ୍ଲକ୍,ରସୁଲପୁର ବ୍ଲକ୍ ସମେତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ବ୍ଲକ୍ ଓ ଦାନଗଦୀ ବ୍ଲକ୍ ମଧ୍ୟ ଉପକୃତ ହେବେ । ତେଣୁ ମୁଁ ଅନୁରୋଧ କରିବି ଆପଣଙ୍କ ଜରିଆରେ ସରକାରଙ୍କ ନିକଟରେ ରଖିବା ପାଇଁ ଯେ ଯେତେ ଜଲ୍ଦି ସବ୍-ଡିଭିଜନ୍ ହୋଇପାରିବ ସମସ୍ତେ ଉପକୃତ ହେବେ ।