ଅମର୍ଦ୍ଦାରୋଡ଼,୨୬/୦୯: ସମଗ୍ର ଦେଶରେ ବ୍ୟବସାୟିକ ତଥା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ବହୁଦିନ ଧରି ରିଟର୍ଣ୍ଣ ନଦେଇ,ରେଜିଷ୍ଟ୍ରେଶନ୍ ନେଇ ଅଥବା ନନେଇ ମଧ୍ୟ ଟିକସ ଫାଙ୍କୁଥିବାର ଦେଖିବାକୁ ମିଳୁଛି । ଏଣୁ ଅଗଷ୍ଟ ୧୬ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ବିଭାଗ ପକ୍ଷରୁ ବାର୍ଷିକ ୪୦ ଲକ୍ଷରୁ ଉର୍ଦ୍ଧ୍ବ କାରବାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ସତେଚନ ଓ ଟ୍ୟାକ୍ସ ପଇଠ,ଜିଏସଟି ନମ୍ବର ବ୍ୟବହାର କରି ନିରବଚ୍ଛିନ୍ନ ସେବାର ବ୍ୟବହାର ସମ୍ପର୍କରେ ଅବଗତ କରାଯାଉଛି। ଏହି କ୍ରମରେ ଗୁରୁବାର ମଧ୍ୟାହ୍ନରେ ଜିଲା ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ବିଭାଗ ଯୁଗ୍ମ ଆୟୁକ୍ତ ନିଲମ ପ୍ରକାଶ କୁଜୁର ଓ ଉପ ଆୟୁକ୍ତ ପ୍ରମୋଦ କୁମାର ମଣ୍ଡଳଙ୍କ ନିର୍ଦ୍ଦେଶ କ୍ରମେ ୬ଜଣିଆ କାର୍ଯ୍ୟକାରୀ ଦଳ ବସ୍ତା ଥାନା ଅଧୀନସ୍ଥ ଅମର୍ଦ୍ଦାରୋଡ଼ ହାଟପଡ଼ିଆସ୍ଥିତ ସୁଶାନ୍ତ କୁମାର ରାଉଳ(ଭାଲୁ)ଙ୍କ ହୋଲସେଲ (ତେଜରାତି) ଦୋକାନରେ ଅତର୍କିତ ଭାବେ ପହଞ୍ଚି ବାହାର ପଟୁ ଦୋକାନକୁ ବନ୍ଦ କରି ସମସ୍ତ ଷ୍ଟକ, କାଗଜପତ୍ର, ବ୍ୟାଙ୍କ କାରବାର ବା ନେଣ୍ ଦେଣ୍ ଆଦି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ ଦୋକାନର ଦିନକୁ,ମାସିକ ଏବଂ ବାର୍ଷିକ କାରବାରର ଆକଳନ ବାହାର କରିଥିଲେ । ଆକଳନ ସମୟରେ ଉକ୍ତ ଦୋକାନୀ ଜଣକ କୌଣସି ଜିଏସଟି ନମ୍ବର ବ୍ୟବହାର ନକରି ବର୍ଷକୁ ପାଖା ପାଖି ୪୦ ଲକ୍ଷ କାରବାର ଚଳାଇଥିବା ଜଣାପଡ଼ିଥିଲା । ଏଣୁ ଅଧିକାରୀମାନେ ଯୁଗ୍ମ ଆୟୁକ୍ତ ଏବଂ ଉପ ଆୟୁକ୍ତଙ୍କୁ ସର୍ଭେ ରିପୋର୍ଟ ଦେବା ଲାଗି ସମସ୍ତ କାରବାରର ଏକ ରିପୋର୍ଟ ପ୍ରସ୍ତୁତ କରି ଉକ୍ତ ଦୋକାନୀଙ୍କ ଠାରୁ ସଂଗ୍ରହ କରିଥିଲେ। ଏହି ଯାଞ୍ଚ ସମୟରେ ଦୋକାନ ଗୃହରେ ଗୁଡ଼ାଏ ବେଆଇନ ଗୁଟଖା ମିଳିଥିବା ଜଣାପଡ଼ିଛି। ଦୋକାନୀ ଜଣକ ଜିଲା ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ବିଭାଗକୁ ଆସି ହସ୍ତଗତ ହୋଇଥିବା ସର୍ଭେ ରିପୋର୍ଟ ମୂଳେ ଦୋକାନର ବିଭିନ୍ନ ଦ୍ରବ୍ୟର କ୍ରୟର କାଗଜପତ୍ର ଦେଖାଇବାକୁ କୁହାଯାଇଥିବା ଏବଂ ସେଥିରୁ ବିଚ୍ୟୁତି ହେଲେ ସଂପୃକ୍ତ ଦୋକାନୀକୁ ମୋଟା ଅଙ୍କର ଜୋରିମାନା କରାଯିବ ବୋଲି ଏନଫୋର୍ସ ରେଞ୍ଜ ର ସିଟି ଆଣ୍ଡ ଜିଏସଟି ଅଫିସର ଧିରେନ୍ଦ୍ର କୁମାର ମହାନ୍ତି କହିଛନ୍ତି। ଏହି ଯାଞ୍ଚ ସମୟରେ ଜିଏସଟି ଅଫିସର ରଣଦୀପ ତ୍ରିପାଠୀ, ଆର୍ତ୍ତତ୍ରାଣ ପ୍ରଧାନ,ଶାଙ୍ଖ ହାଁସଦା, ଇନ୍ସପେକ୍ଟର ତପନ ଦାସ ପ୍ରମୁଖ ସାମିଲ ଥିଲେ। ସେହିଭଳି ଅପରାହ୍ନରେ ଓଡ଼ି ୦୧ ଏଟି ୫୨୮୭ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନରେ କୋଲଡ଼୍ରିଂକ୍ସ ବୋଝେଇ ହୋଇ ବାଲେଶ୍ବରରୁ ଚିତ୍ରଡ଼ା ଅଭିମୁଖେ ଯିବା ସମୟରେ ଅଧିକାରୀମାନେ ଉକ୍ତ ଗାଡ଼ିଟିକୁ ଅମର୍ଦ୍ଦାରୋଡ଼ ହସ୍ପିଟାଲ ଛକରେ ଅଟକାଇ ଚାଳକକ ଗାଡ଼ିର କାଗଜପତ୍ର ମାଗିଥିଲେ। ମାତ୍ର ଚାଳକ ଜଣକ ସଠିକ୍ କାଗଜପତ୍ର ନଦେଖାଇପାରିବାରୁ ଗାଡ଼ିଟିକୁ ଜିଲ୍ଲା ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି ।ତେବେ ଆଜିର ଏହି ଯାଞ୍ଚ ପ୍ରକ୍ରିୟାରେ ଅମର୍ଦ୍ଦାରୋଡ଼ ବଜାର ଦୋକାନୀଙ୍କ ଛାତିରେ ଛନକା ପଶିଥିବା ବେଳେ ପାଖା ପାଖି ବଜାରର ୮୦ ପ୍ରତିଶତ ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା।