ବ୍ଲାକ ଲିଷ୍ଟଟେଡ଼ ଇଗଲ କନଷ୍ଟ୍ରକସନକୁ 500 କୋଟି କାମ ମିଳିଲା କେମିତି ?- କଂଗ୍ରେସ।

0 30

ଭୁବନେଶ୍ୱର,୨୮/୦୨(ପିପିଟି):ଦୀର୍ଘ ୯ ଦିନ ହେଲା ରାଜ୍ୟର ୮୦ ହଜାର କ୍ରଣ୍ଟାକ୍ଟର ଧାରଣାରେ ବସିଛନ୍ତି । ରାଜ୍ୟର ବହୁ ଜିଲ୍ଲାରେ ନିର୍ମାଣ କାମ ସଂପୂର୍ଣ୍ଣ ଠପ । ଆଉ ଅଳ୍ପ କେଇଟା ଦିନ ପରେ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଠିକାଦାର କରିବେ ବୋଲି ଘୋଷଣା କରିସାରିଲେଣି । ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଓ ଦିନମଜୁରିଆ ମାନେ ୯ ଦିନ ଧରି କାମ ନପାଇଁ ଘରେ ବସିଲେଣି । ପରିବାର ଚଳାଇବା ପାଇଁ ସେମାନଙ୍କ ପାଖରେ ପଇସାଟିଏ ନାହିଁ । କିନ୍ତୁ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ପ୍ରଥମଥର ପାଇଁ ଆସିଥିବା ସରକାରଟି ଓଡ଼ିଆ ଠିକାଦାର ମାନଙ୍କୁ ଜାଣିଶୁଣି କିଭଳି ଭାବରେ ହଇରାଣ ହରକତ କରାଯିବ ଏବଂ କିଭଳି ଭାବରେ ସେମାନଙ୍କ ପାଖରୁ କୋଟି କୋଟି ଟଙ୍କା ଉତ୍କଚ ଆଦାୟ କରାଯିବାର ବାଟ ଏ ସରକାର ଫିଟାଇ ସାରିଛନ୍ତି । ସରକାରଙ୍କର ଏତାଦୃଶକ କାର୍ଯ୍ୟକୁ ବିରୋଧ କରି ଆଜି ପ୍ରଦଶେ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ପୂର୍ବ ସରକାର ସମୟରେ ଟେଣ୍ଡର ବିଡିଂ ପ୍ରକ୍ରିୟାରେ ଠିକାଦାର ମାନେ କୌଣସି ଠିକା କାମରେ ଧାର୍ଯ୍ୟ ମୂଲ୍ୟ ଠାରୁ ୧୪.୯୯ ପ୍ରତିଶତ କମ କରି ଟେଣ୍ଡର ପକାଇବା ପାଇଁ ନିୟମ ଥିଲା । କିନ୍ତୁ ଏହି ସରକାର ଆସିଲା ପରେ ଏହି ନିୟମକୁ ବଦଳାଇ ଟେଣ୍ଡର ବିଡିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଠିକାଦାରମାନେ ଯେତେ ଲେସ ରେଟରେ ପକାଇପାରିବେ ଏହାର କୌଣସି ସୀମା ରଖିଲେ ନାହିଁ । ଏହାଦ୍ୱାରା ଗୋଟେ ଠିକା କାମରେ ୪୦ ପ୍ରତିଶତରୁ ୫୦ ପ୍ରତିଶତ ଲେସରେ ପକାଇ କାମ ନେଇପାରିବେ । ମୂଳତଃ ୪୦ ପ୍ରତିଶତରୁ ୫୦ ପ୍ରତିଶତ କମ ରେଟରେ ଟେଣ୍ଡରେ କାମ ନେଲେ ରାଜ୍ୟରେ ଯେଉଁ ନିର୍ମାଣ କାମ ହେବ ତାହା ସଂପୂର୍ଣ୍ଣ ନିମସ୍ତରର ହେବ ବୋଲି ଶ୍ରୀ ମହାନ୍ତି ଉଦ୍‌ବେଗ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଯେଉଁ ସବୁ ନିର୍ମାଣ କାମ ହେବ ତାହା ଅଳ୍ପଦିନରେ ନଷ୍ଟ ହେବା ସହ ରାଜ୍ୟର ଜନସାଧାରଣଙ୍କ କୋଟି କୋଟି ଟଙ୍କା କର ପଇସା ପାଣିରେ ପକାଇବା ପାଇଁ ଏକ ଯୋଜନା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଗଳାବାଟ ଦ୍ୱାରା ରାଜ୍ୟ ସରକାରଙ୍କର ମନ୍ତ୍ରୀ, ଯନ୍ତ୍ରୀ,ଦଳିୟ ନେତା ଓ ବିଭାଗୀୟ ସଚିବମାନେ ରାଜ୍ୟରେ ଟେଣ୍ଡର ଫିକ୍ସିଂ କରି କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରିବାର ବାଟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଓଡ଼ିଶା ସରକାରଙ୍କର ନିର୍ମାଣ କାମ ପାଇଁ ଓପିଡବ୍ଲୁଡି ଆଇନର ସିଡିୟୁଲ୍ଡ ରେଟରେ କାମ ଦେବାପାଇଁ ନିୟମ ଥିଲା ବେଳେ ଓଡ଼ିଶାର କଣ୍ଟ୍ରାକ୍ଟର ମାନଙ୍କୁ ସିଡିୟୁଲ୍ଡରେଟରେ କାମ କାହିଁକି ଦିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ସରକାର ସିଡିୟୁଲ୍ଡ ରେଟରେ କାମ ଦିଅନ୍ତେ ଏବଂ ସେଥିରେ ୬ ରୁ ୭ ପ୍ରତିଶତରୁ ଲେସ ରେଟର ନିୟମ ରଖନ୍ତେ ତାହାଲେ ଉଭୟ ସରକାର ଓ ଠିକାଦାର ଲାଭବାନ ହୋଇପାରିବେ ଏବଂ ରାଜ୍ୟରେ ମଧ୍ୟ ଗୁଣାତ୍ମକ ନିର୍ମାଣ କାର୍ଯ୍ୟ ହୋଇପାରିବ ଯଦ୍ୱାରାକି ଗୋଟିଏ କାମକୁ ଅଳ୍ପ କେଇଟା ବର୍ଷପରେ ପୁଣି କରିବାକୁ ପଡ଼ନ୍ତା ନାହିଁ ।

ରାଜ୍ୟରେ ୩୫ ହଜାର କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ବାହାରର ସମସ୍ତ ଠିକାଦାର ମାନଙ୍କୁ ଦିଆଯାଇଛି ଯଥା ଏଲଏଣ୍ଟି, ସାପ୍ରୁଜି ଆଣ୍ଡ ୱାଲେଞ୍ଜି,ବେକନ, ମେଘାଇଂଜିନିୟରିଂ,କେଇସି, ଜେଏମସି,ଜେଭିପିଆର, ଇଗଲ, ଏନସିସି ଓ ସିଂଗଲା ଇତ୍ୟାଦି କମ୍ପାନୀମାନଙ୍କୁ ଦିଆଯାଇଛି । ଗୋଟିଏ ବୋଲି ଓଡ଼ିଆ ଠିକାଦାରଙ୍କୁ ଏ କାମ ଜାଣିଶୁଣି ପୂର୍ବ ସରକାର ଓ ବର୍ତ୍ତମାନ ସରକାରର ଅଧିକାରୀ ମାନେ ଦେଇନାହାଁନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଇଗଲ ମଧ୍ୟପ୍ରଦେଶର ଏକ ବ୍ଲାକଲିଷ୍ଟେଡ ଠିକା କମ୍ପାନୀ । ଏହି ଠିକା କମ୍ପାନୀକୁ ନିଜ ରାଜ୍ୟରେ କାମ ମିଳୁନାହିଁ । କିନ୍ତୁ ଓଡ଼ିଶାରେ ଏହି ଡବଲ ଇଞ୍ଜିନ ସରକାର ସମୟରେ ଏହି କମ୍ପାନୀକୁ କାହା ଦୟାରେ ୫୦୦ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପର ଠିକାଦାରୀ ମିିଳିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କମ୍ପାନୀଟି ମଧ୍ୟ ପ୍ରଦେଶ ବିଜେପି ସରକାରର ଜନୈକ ମନ୍ତ୍ରୀଙ୍କର ଭାଇଙ୍କର ବୋଲି ସମସ୍ତ ପ୍ରମାଣ ହସ୍ତଗତ ହୋଇସାରିଛି । ଏହା କଣ ଆମ ଓଡ଼ିଆ ପ୍ରୀତି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ କଂଗ୍ରେସର ଦାବି ସରକାର ଟେଣ୍ଡରବିଡିଂର ଯେଉଁ ନିୟମ ପରିବର୍ତ୍ତନ କରିଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ଓଡ଼ିଶାର କ୍ରଣ୍ଟାକ୍ଟର ମାନଙ୍କୁ ସିଡିୟୁଲ୍ଡ ରେଟରେ କାମ ଦିଅନ୍ତୁ ପ୍ରତି ଦୁଇବର୍ଷରେ ସିଡିୟୁଲ୍ଡ ରେଟର ରିଭିଜନ କରନ୍ତୁ । ଦଲାଲିକରି ପଇସା ଖାଇବା ପାଇଁ ନିୟମ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସର ବରିଷ୍ଠ ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଓ ଅନ୍ୟତମ ମୁଖପାତ୍ର ଆଡଭୋକେଟ ଜୟଶ୍ରୀ ପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.