ଭଞ୍ଜନଗର, ୨୦/୦୮(ପିପିପି):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ସମର୍ଥିତ ପ୍ରାର୍ଥୀ ନିଳାଞ୍ଚଳ ଖିଲାର ବିଜୟୀ ହୋଇଛନ୍ତି। ବ୍ଲକ କାର୍ଯାଳୟ ସମ୍ମୁଖରେ ଦଳୀୟ ପତକା ସହ ସହସ୍ରାଧିକ କର୍ମୀ ରୁଣ୍ଡ ହୋଇ ବିଜୟୀ ଉପାଧ୍ୟକ୍ଷ ଙ୍କୁ ପୁଷ୍ପଗୁଚ୍ଛ ଓ ଫୁଲମାଳ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଜୟୀ ଶୋଭାଯାତ୍ରା ବାହାରି ଜଗନ୍ନାଥପ୍ରସାଦ ଅଞ୍ଚଳ ପରିକ୍ରମା କରିଥିଲା।
ସୁଚନାନୁସାରେ, ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ଦର୍ଶାଇ ଗତ ଜୁନ୍ ରେ ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ରଂଜିତ ପାତ୍ର ପଦବିରୁ ଇସ୍ତଫା ଦେଇଥିଲେ । ଦୁଇମାସ ହେଲା ଏହି ପଦବି ଖାଲି ପଡ଼ିଥିଲା। ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ବୁଧବାର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ବିଜେଡିରୁ ରାଉତି ପଞ୍ଚାୟତ ସମିତିସଭ୍ୟା ପଙ୍କଜ କୁମାରୀ ପ୍ରଧାନ ଓ ବିଜେପିରୁ କ୍ଷେତମୁଣ୍ଡଳି ସମିତିସଭ୍ୟ ନିଳାଞ୍ଚଳ ଖିଲାର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପତ୍ୟାହାର କରିନଥିଲେ। ଫଳରେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବ୍ଲକର ସମସ୍ତ ସମିତିସଭ୍ୟ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ଗଣତି ପରେ ନିଳାଞ୍ଚଳଙ୍କ ସପକ୍ଷ ରେ ୧୫ ଟି ଓ ପଙ୍କଜଙ୍କ ସପକ୍ଷରେ ୧୦ ଟି ଭୋଟ ପଡିଥିଲା। ଉପ ନିର୍ବାଚନରେ ନିଳାଞ୍ଚଳ ଖିଲାର ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବୁଗୁଡ଼ା ବ୍ଲକ ବିଡିଓ ଦ୍ବିତୀକୃଷ୍ଣ ପାତ୍ର ଅନୁଷ୍ଠାନିକ ଘୋଷାଣା କରିଥିଲେ।
(ଜେ.କେ ପଟ୍ଟନାୟକ)