ବ୍ରହ୍ମପୁର,୦୬/୦୧(ପିପିଟି) ଚଳିତ ବର୍ଷ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ୧୧.୦୦ ଘଣ୍ଟା ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର , ଭା.ପ୍ର.ସେ ଅଧ୍ୟକ୍ଷତାରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡେପୁଟି କଲେକ୍ଟର ସୁବ୍ରତ ରାମ ବିରାମ ଶତପଥି ,ଡି.ଏସ.ପି ପ୍ରତିଭା ମାଝୀ, ଆର.ଆଇ. ଅଫ୍ ପୋଲିସ୍ ଏମ୍. ଲକ୍ଷ୍ମୀ ରଞ୍ଜନଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ୭୭ତମ ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ଘ ୫.୦୦ ମି ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ସହର ରେ ରାମଧୁନ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ଘଣ୍ଟା ରେ ପତାକା ଉତୋଳନ କରିବେ । ସକାଳ ଘ୮.୩୦ମିନିଟ୍ ରେ ଉକ୍ତ ଦିନ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ୟାରେଡ୍ ଅଭ୍ୟାସ ନିମନ୍ତେ ତା.୨୨.୦୧.୨୦୨୬ରିଖ, ତା.୨୩.୦୧.୨୦୨୬ରିଖ ଓ ତା. ୨୪.୦୧. ୨୦୨୬ରିଖ ପୂର୍ବାହ୍ନ ଘ.୭.୩୦ ମି. ସମୟରେ ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ୭୭ତମ ସାଧାରଣତନ୍ତ୍ର ଦିବସ ନିମନ୍ତେ ଆସନ୍ତା ୦୯.୦୧.୨୦୨୬ ତାରିଖ ରେ ଓଡ଼ିଆ ରଚନା ପ୍ରତିଯୋଗିତା,୧୦.୦୧.୨୦୨୬ ତାରିଖରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ୧୧.୦୧.୨୦୨୬ ତାରିଖରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଗୁଡିକ ଉପଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୮ଘଣ୍ଟା ସମୟରେ ଆୟୋଜିତ ହେବ । ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ,ରବୀନ୍ଦ୍ର ସାହୁ ସହଯୋଗ କରିଥିଲେ ।