ବ୍ରହ୍ମପୁର,୧୪/୦୩(ପିପିଟି):ଡ଼ଃ ସ୍ଵାମୀନାଥନ୍ କମିଶନଙ୍କ ସୁପାରିଶ ଅନୁଯାୟୀ ଚାଷୀଙ୍କର ଉତ୍ପାଦିତ ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଧାର୍ଯ୍ୟ କରିବା, ଚାଷୀଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇଁ ଆଇନ କରିବା ତଥା ଚାଷୀର କୃଷିଋଣ ଛାଡ କରିବା ଦାବିରେ ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ନୂଆଦିଲ୍ଲୀର ରାମଲୀଳା ମଇଦାନ ଠାରେ କିଶାନ୍ ମହାପଞ୍ଚାୟତ ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ କୃଷକମାନଙ୍କ ବିଭିନ୍ନ ଦାବି ନେଇ ତଥା ମୋଦି ସରକାରର କୃଷକ ବିରୋଧି ନୀତି ବିରୁଦ୍ଧରେ ଆଜି ବ୍ରହ୍ମପୁରସ୍ଥିତ ଆରଡିସି ଅଫିସ ନିକଟରେ ଦକ୍ଷିଣାଞ୍ଚଳ ଜିଲ୍ଲାମାନଙ୍କର କୃଷକମାନଙ୍କ ଏକ ସମାବେଶର ଆୟୋଜନ ହୋଇଯାଇଛି । ଏହି କ୍ରମରେ ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ଟାଟାବେଞ୍ଜ ଛକ ନିକଟସ୍ଥ ଗଣେଶ ମନ୍ଦିର ଠାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁସ ଆସିଥିବା ଶହସ୍ରାଧିକ କୃଷକ ଏକ ବିଶାଳ ପଟୁଆରରେ ବାହାରି କମାପଲ୍ଲୀ ଛକ ଦେଇ ଆରଡିସି ଅଫିସ ନିକଟରେ ପହଞ୍ଚିଥିଲେ । ଏଆଇକେଏସ ସମ୍ପାଦକ ନୀଳକଣ୍ଠ ଦାସ, ଓଡିଶା କୃଷକସଭା ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀ, ଅଖିଳ ଭାରତ କିଶାନ୍ ମଜୁଦୁର୍ ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଋଷିକୁଲ୍ୟା ରଇତ ମହାସଭା ନେତା ସିମାଞ୍ଚଳ ନାହାକ, ଚାଷୀ ମୁଲିଆ ସଙ୍ଘର ନିରାକାର ନାୟକ, କ୍ରାନ୍ତିକାରୀ କିଶାନ୍ ସଭାର ରାଜ୍ୟ ଆବାହକ ଶଙ୍କର ସାହୁ ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମାବେଶର ପରିଚାଳନା କରିଥିଲେ । ସମାବେଶରେ ଅତିଥି ଭାବେ ଯୋଗଦେଇ ଯୋଗ ଅଖିଳ ଭାରତ କୃଷକ ସଭାର ଉପ ସଭାପତି ଆଶିଷ କାନୁନଗୋ, ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ କୃଷକ ସଭାର ବରିଷ୍ଠ ନେତା ଜଗନ୍ନାଥ ମିଶ୍ର ପ୍ରମୁଖ ଯୋଗ ଦେଇ ମୋଦି ସରକାରର କୃଷକ ବିରୋଧି ନୀତି, କୃଷକମାନଙ୍କ ପ୍ରତି କରିଥିବା ପ୍ରତାରଣା ଏବଂ ସର୍ବୋପରି କୃଷକମାନଙ୍କ ଆନ୍ଦୋଳନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଦେଶରେ କମ୍ପାନୀମାନେ ନିଜର ଉତ୍ପାଦିତ ସାମଗ୍ରୀର ଦରଧାର୍ଯ୍ୟ କରୁଥିବା ବେଳେ କୃଷକମାନେ କାହିଁକି ନିଜର ଉତ୍ପାଦିତ ଫସଲର ଦର ପାଇବେନି ବୋଲି ପ୍ରଶ୍ନ କରିଥିଲେ । କୃଷକମାନଙ୍କ ଆୟକୁ ପାଞ୍ଚ ବର୍ଷ ମଧ୍ୟରେ ଦୁଇଗୁଣ କରିବାକୁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାରର ଅମଳରେ ଆୟ ତ ଦୁଇ ଗୁଣ ହେଲାନି କିନ୍ତୁ ଋଣଗ୍ରସ୍ତ ହୋଇ ଲକ୍ଷେରୁ ଅଧିକ କୃଷକ ଆତ୍ମହତ୍ୟା କଲେ ବୋଲି ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏସର ନେତା ଶ୍ରୀହର୍ଷ ରଥ, ଏଆଇକେଏମଏସ୍ ରାଜ୍ୟ କମିଟି ସଭ୍ୟ କେଦାର ଶବର, କୃଷକ ସଭାର ବରିଷ୍ଠ ନେତା କୈଳାଶ ଷଡ଼ଙ୍ଗୀ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କେନ୍ଦ୍ର ସରକାର କୃଷକଙ୍କୁ ଦେଇଥିବା ପ୍ରତିଶୃତି ପାଳନ ନକରି ଓଲଟି ସେମନଙ୍କ ଉପରେ ଦମନ ଓ ଉତ୍ପୀଡନ ଚଳାଇଛନ୍ତି ବୋଲି କହିଥିଲେ । ମାନବିକ ଅଧିକାର ସଂଗଠନର ଅବନୀ କୁମାର ଗୟା, କୃଷକ ନେତା କାଳୁଚରଣ ନାୟକ, ଟୁନା ମଳିକ,ଦଣ୍ଡପାଣି ରଇତ,ଅଜୟ ଗୌଡ଼, ବିଭୁ ପାଣିଗ୍ରାହୀ,ଅର୍ଜୁନ ଶବର,ସରପଞ୍ଚ ବୈରାଗୀ ବେହେରା, ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସାମାଜିକ କର୍ମୀ ଲଷ୍ମୀନୃସିଂହ ରଥ ପ୍ରମୁଖ ଯୋଗ ଦେଇ ସମାବେଶକୁ ସଫଳ କରିଥିଲେ ।