ହରଭଙ୍ଗା,୩୦/୦୯: ବହୁଦିନର ପ୍ରତୀକ୍ଷାପରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥରେ ବୌଦ୍ଧ ରୁ ପୁରୁଣାକଟକକୁ ରେଳ ଇଂଜିନ ପରୀକ୍ଷାମୂଳକ ଭାବେ ଗଡିଛି। ଦେଖିବା ପାଇଁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଖୁସିରେ ଲୋକେ ଫଟୋ,ଭିଡିଓ ସହିତ ସେଲଫି ନେଇ ନିଜ ନିଜ ସୋସିଆଲ ମିଡ଼ିଆରେ ଛାଡିଥିବା ଦେଖିବାକୁ ମିଳିଛି। ଗତ ରବିବାର ବୌଦ୍ଧ ରୁ ବିରନରସିଂହପୁର ପର୍ଯ୍ୟନ୍ତ ରେଳ ଇଂଜିନ ଗଡିଥିଲା।ଦୁଇଦିନ ମଧ୍ୟରେ ହରଭଙ୍ଗା ବ୍ଲକରେ ରେଳ ଇଂଜିନ ଗଡିବା କାର୍ଯ୍ୟ ତ୍ୱରାନ୍ୱିତ ପରେ ଦୀର୍ଘ ୩୭ ବର୍ଷର ଅପେକ୍ଷା ପୂରଣ ହୋଇପାରିଛି । ମାତ୍ର ବ୍ଲକର ଆଡ଼େନିଗଡ଼ ଠାରେ ଚାଲିଥିବା ଦୀର୍ଘ ୪.୧୮୫ କିମି ଲମ୍ୱର ସୁଡ଼ଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ହରଭଙ୍ଗା ବ୍ଲକ ସଦରମହକୁମାକୁ ରେଳ ସଂଯୋଗ ସମ୍ଭବ ହୋଇପାରିବ। ସୁଡ଼ଙ୍ଗ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଥିବାରୁ ଆସନ୍ତା ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି।