ବୈତରଣୀ ମହାଆଳତୀ ଏବଂ ପଥ ଉତ୍ସବ ଆୟୋଜିତ ।

0 8

ଯାଜପୁର,୧୮/୦୩(ପିପିଟି): ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ପୂର୍ବାଭାସ ସ୍ୱରୂପ ସପ୍ତମାତୃକା ମନ୍ଦିର ନିକଟସ୍ଥ ଦଶାଶ୍ବମେଧ ଘାଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈତରଣୀ ମହାଆଳତୀ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଅମ୍ବର କୁମାର କର ବୈତରଣୀ ପୂଜାର୍ଚ୍ଚନାରେ ଯୋଗ ଦେଇଥିଲେ। ପ୍ରାତଃ ୫ ଟା ରେ ରକ୍ଷାକାଳୀ ମନ୍ଦିରଠାରୁ ଏକ ଶୋଭାଯାତ୍ରା ବାହାରି ଦଶାଶ୍ବମେଧ ଘାଟରେ ପହଞ୍ଚିଥିଲା । ଏଥିରେ ପାରମ୍ପରିକ ଘୋଡ଼ାନାଚ,ନାମ ସଂକୀର୍ତ୍ତନ ସହ ଘଣ୍ଟଘଣ୍ଟା ନାଦ ସହ ସମସ୍ତେ ଘାଟରେ ପହଞ୍ଚିଥିଲେ। ଘାଟକୁ ସୁସଜ୍ଜିତ କରିବା ସହ ଆଳତୀ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପୁରୀର ଶଙ୍କରାଚାର୍ଯ୍ୟଙ୍କ ମଠରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ପଣ୍ଡିତମାନେ ସୂର୍ଯ୍ୟୋଦୟ ସମୟରେ ବୈତରଣୀ ଆଳତୀ କରିଥିଲେ। ପୂଜାର୍ଚ୍ଚନା ସହ ବେଦ ମନ୍ତ୍ର,ଘଣ୍ଟ ଓ ଶଙ୍ଖ ନାଦରେ ଏକ ମନୋରମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀଙ୍କ ପାୱାର ବୋଟ୍ ନଦୀରେ ପଇଁତରା କରିଥିଲେ। ବୈତରଣୀ ଆଳତୀ ପରେ ସ୍ଥାନୀୟ ପ୍ରଶାସନିକ ଭବନ ପଡିଆ ସମ୍ମୁଖ ରାସ୍ତାରେ ପଥ ଉତ୍ସବ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଅମ୍ବର କୁମାର କର ଏହାକୁ ଉଦଘାଟନ କରିଥିଲେ। ଏଥିରେ ରକ୍ ବ୍ୟାଣ୍ଡ,ନୃତ୍ୟ ସଙ୍ଗୀତ ପରିବେଷଣ,ଲାଇଭ ପେଣ୍ଟିଂ, ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାମ୍ପ, ସ୍କେଟିଙ୍ଗ, ରଙ୍ଗୋଲି, ପାରମ୍ପରିକ ଖାଦ୍ୟ ଷ୍ଟଲ୍, ଯୋଗ,ହକି,ଜୁମ୍ବା,ଏରୋବିକ୍ସ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା। ଯାଜପୁର ସହରବାସୀ ବହୁ ସଂଖ୍ୟାରେ ଏହି ମନୋରଞ୍ଜନଧର୍ମୀ ପଥ ଉତ୍ସବରେ ସାମିଲ ହୋଇଥିଲେ। ଉଭୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ତହସିଲଦାର ରବି ନାରାୟଣ ପାଢ଼ୀ ଏବଂ ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.