ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପରେ ଡେପୁଟି ରେଞ୍ଜରଙ୍କ ଆତ୍ମସମର୍ପଣ ।

0 263

ବାଲିଗୁଡା,୨୪/୦୨(ପିପିଟି) : ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବେଲଘର ଉପ ବନାଞ୍ଚଳ ଅଧିକାରୀ ବିନୟ କୁମାର ବିଶି ଘଟଣାର ୪୯ଦିନ ପରେ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ଦାଖଲ କରି ପ୍ରଥମେ ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତଙ୍କ ନିକଟରେ ଆତ୍ମସର୍ମପଣ କରିଛନ୍ତି । ବନଖଣ୍ଡ ଅଧିକାରୀଙ୍କ ସହିତ ଦେଖା କରିବା ପରେ ତୁମୁଡିବନ୍ଧ ଜେଏମଏଫସି ଅଦାଲତ ବିଚାରପତିଙ୍କ ପାଖରେ ଉଚ୍ଚ ନ୍ୟାୟାଳୟରୁ ପାଇଥିବା ଆଗୁଆ ଜାମିନ ଦାଖଲ କରି ସେଠାରୁ ସେ ଜାମିନରେ ଯାଇଛନ୍ତି। ଡେପୁଟି ରେଞ୍ଜର ବର୍ତ୍ତମାନ ଠାରୁ ହାତୀ ମୃତ୍ୟୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ବାଲିଗୁଡା ବନଖଣ୍ଡର ବେଲଘର ବନାଞ୍ଚଳରେ ଗତ ଜାନୁୟାରୀ ୫ ତାରିଖରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଏହାକୁ ଲୁଚାଇବାକୁ ଯାଇ ବେଲଘର ଡେପୁଟି ରେଞ୍ଜର ମୃତ ହାତୀକୁ ପ୍ରଥମେ ଏକ ନର୍ସରୀ ମଧ୍ୟରେ ପୋତି ଦେଇଥିଲେ । ଘଟଣା ଜଣାପଡିବା ପରେ ହାତୀର ମୃତଦେହକୁ ୩୨ଖଣ୍ଡ କରି ଶହେ କିମି ଦୁର କଳାହାଣ୍ଡି ଜିଲାର କେସିଙ୍ଗା ତହଁଶିର ଗ୍ରାମରେ ପୋତି ଦେଇଥିଲେ। ଘଟଣାର ସତ୍ୟାସତ୍ୟ ଧିରେ ଧିରେ ଲୋକ ଲୋଚନ କୁ ଆସିପାରିଥିଲା। ଏହି ଘଟଣାକୁ ନେଇ ତୁମୁଡିବନ୍ଧ ଥାନାରେ ବନ ବିଭାଗ ପକ୍ଷରୁ ଏକ ମାମଲା କେଶ ନଂ. ୭୨/୨୬ ଦାୟର କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଗିରଫ ହୋଇ ସାରିଛନ୍ତି। ପ୍ରଥମେ ଏହି ଘଟଣାକୁ ତଦନ୍ତ କରୁଥିବା ବାଲିଗୁଡା ବନଖଣ୍ଡର ସହକାରୀ ବନସଂରକ୍ଷକ (ଏସିଏଫ) ସୂର୍ଯ୍ୟକାନ୍ତ ବେହେରା ଭୁଲ ତଦନ୍ତ କରିଥିବାରୁ ନିଲମ୍ବିତ ହୋଇଛନ୍ତି । ଗୋଟିଏ ଜେସିବି ମେସିନ, ୪ଟି ଚାରିଚକିଆ ଯାନ ଏବଂ ଦେଶୀ ବନ୍ଧୁକ ସହ କିଛି ତାର ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାଟି ଘଟିବା ପରେ ସଂପୃକ୍ତ ଡେପୁଟି ରେଞ୍ଜର ବିନୟ ବିଶି ଫେରାର ଥିଲେ। ତାଙ୍କୁ ଧରିବାକୁ ବନ ଓ ପୁଲିସ ପକ୍ଷରୁ ପ୍ରୟାସ ଜାରୀ ରହିଥିଲା।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.