ବେଗୁନିଆପଡା,୨୭/୦୨(ପିପିଟି):ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସର ମର୍ଦ୍ଦରାଜ ସମ୍ମିଳନୀ କକ୍ଷରେ ବେଗୁନିଆପଡା ପଞ୍ଚାୟତ ସମିତିର ପଞ୍ଚମ ସ୍ୱତନ୍ତ୍ର ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ବରିଷ୍ଠ ସରପଞ୍ଚ କାଶୀନାଥ ବେହେରା ସଭା କାର୍ଯ୍ୟ ତୁଲାଇଥିଲେ । ଆଜିର ବୈଠକ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ଅନେକ ଜନପ୍ରତିନିଧି ଅନୁପସ୍ଥିତ ଥିଲେ । ଜନପ୍ରତିନିଧି ମାନଙ୍କୁ ବ୍ଲକ ପ୍ରଶାସନ ସହଯୋଗ କରୁନଥିବା ଅଭିଯୋଗରେ ବୈଠକ ବର୍ଜନ କରିଥିବା କହିଛନ୍ତି ଅନେକ ଜନପ୍ରତିନିଧି । ପଞ୍ଚାୟତରେ ଅନେକ ଯୋଜନାରେ ଉନ୍ନୟନ କାର୍ଯ୍ୟ ଠପ ହୋଇ ରହିଛି,ବ୍ଲକ ପ୍ରଶାସନ ଏ ଗୁଡିକୁ କରିବାକୁ ସହଯୋଗ କରୁନାହାଁନ୍ତି । ଗତ ବୈଠକରେ କେତେଗୁଡିଏ ବିଷୟ ଆଲୋଚନା ହୋଇଥିଲା ମଧ୍ୟ କୌଣସି ବିଷୟ କାର୍ଯ୍ୟକାରୀ ହେଲା ନାହିଁ ତେଣୁ ବୈଠକ କରି ଲାଭ କଣ ବୋଲି ଅନେକ ଜନପ୍ରତିନିଧି କହିଛନ୍ତି । ଏଥିରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ବିଡିଓ ସସ୍ମିତା ଶତପଥି, ଆସିକା ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି ଯୋଗଦେଇଥିଲେ । ଏବିଡିଓ ନିରଞ୍ଜନ ବେହେରା ଗ୍ରାମ ପଞ୍ଚାୟତରୁ ଗ୍ରାମ ସଭା ମାଧ୍ୟମରେ ଆସିଥିବା ପ୍ରକଳ୍ପ ଗୁଡିକୁ ପଠନ କରିଥିଲେ । ଏଥିରେ କେତେକ ପ୍ରକଳ୍ପ ରହି ଯାଇଥିବା ନେଇ କିଛି ସରପଞ୍ଚ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ବିକଳ୍ପ ପଦକ୍ଷେପ ନେବା ପାଇଁ ବିଡିଓ କହିଥିଲେ ।ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟ ଠିକ ଭାବେ କରୁ ନଥିବା,ଆବାସ ଯୋଜନା ସର୍ଭେରେ ରାଜନୀତି କରୁଥିବା, ମନରେଗା ରେ କିଛି ପିଇଓ ଦୁର୍ନୀତି କରୁଥିବା ନେଇ ସୂଚନା ଥିବା କହିଥିଲେ ବିଧାୟକ। ଯଦି ଏହିଭଳି କାର୍ଯ୍ୟରୁ ପିଇଓ ମାନେ ବିରତ ନ ରୁହନ୍ତି ତେବେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ । ପରେ ଜବ କାର୍ଡ ହିତାଧିକାରୀଙ୍କୁ ସଠିକ ବ୍ୟବହାର କରୁନଥିବା ନେଇ ଏପିଓ ରଞ୍ଜନ ନାହାକଙ୍କୁ ଚରମ ବାଣୀ ଶୁଣାଇଥିଲେ ବିଧାୟକ । ଏହି ବୈଠକରେ ଜିଲ୍ଲାପରିଷଦ, ସରପଞ୍ଚ, ସମିତି ମେମ୍ବର, ସହକାରୀ ଯନ୍ତ୍ରୀ ପ୍ରଦୀପ ସାହୁ,ସରପଞ୍ଚ,ସମିତି ମେମ୍ବର, କନିଷ୍ଠ ଯନ୍ତ୍ରୀ,ପିଇଓ,ଏଡିଇଓଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)