କୋଦଳା,୧୩/୦୨(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ପରିସରରେ ଶୁକ୍ରବାର ବେଟି ବଚାଓ ବେଟି ପଢାଓ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜିକା ଗୀତାଞ୍ଜଳି ମହାରଣା, ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ,ସିଡିପିଓ ନୀଳିମା ଟପୋ, ବେଗୁନିଆପଡ଼ା ସ୍ବାସ୍ଥ୍ୟ ଅଧିକାରୀ ସଞ୍ଜୟ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ସଚେତନତା ଓ ସତର୍କତା ଦ୍ୱାରା ହିଁ ସାଇବର ଅପରାଧକୁ ରୋକିହେବ ବୋଲି ମତ ପ୍ରକାଶ ପାଇଥିଲା। ସ୍ମାର୍ଟ ଫୋନ୍ ବ୍ଯବହାର ବେଳେ ସତର୍କତା ଅବଲମ୍ବନ କରିବା, ଓଟିପିର ସଦୁପଯୋଗ, ବିଟ୍ କଏନ ଓ କ୍ରିପ୍ଟ କଏନ ରେ ସତର୍କତା ଅବଲମ୍ବନ କରିବା, ନିଜର ଗୁପ୍ତ ତଥ୍ଯ ପରିପ୍ରକାଶ ନ କରିବା ସହ ବିଭିନ୍ନ ସାଇବର ଠକେଇରୁ ବର୍ତ୍ତିବା ନେଇ ସଚେତନ କରାଯାଇଥିଲା।
ସେହିପରି ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ସମ୍ପର୍କିତ ଆଲୋଚନା କରାଯାଇଥିଲା। ଝିଅ ମାନେ ବୋଝ ନୂହନ୍ତି। ସେମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଆର୍ଥିକ ସାକ୍ଷରତା,ସଶକ୍ତି କରଣ,ବ୍ୟାଙ୍କ ପରିଚାଳନା,ସଞ୍ଚୟ ସୁକନ୍ୟା ସମୃଦ୍ଧି, ମହିଳା ମାନଙ୍କର ଆର୍ଥିକ ଅଧିକାରୀ, ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା, ସାମାଜିକ, ରାଜନୈତିକ ଅଧିକାର ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ଏଥିରେ ବେଗୁନିଆପଡ଼ା ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗର ସୁପରଭାଇଜର ବ୍ଲକର ବହୁ ଅଙ୍ଗନୱାଡ଼ି କର୍ମୀ, କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)