ବେଆଇନ ଭାବେ ୨୦ ଏକର ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କଲା ପାଟପୁର ପୋଲିସ ।

0 76

୨୧/୧୨(ପିପିଟି):ଗଞ୍ଜାମ ଜିଲ୍ଲାର ଉପାନ୍ତ ବନ ଜଙ୍ଗଲ ଘେରା ପାହାଡି ଉପତ୍ୟାକାରେ ବନ ବିଭାଗର ସଂରକ୍ଷିତ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷ ହେଉଥିଲେ ମଧ୍ୟ ସ୍ଥାନୀୟ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ବିଭାଗକୁ ମିଛ ରିପୋର୍ଟ ଦେଇ ଫାଙ୍କି ମାରୁଥିବା ଜଣା ପଡ଼ିଛି । ଗଂଜାମ ଗଜପତି ସୀମାନ୍ତ କେ ନୂଆଗାଁ , ଦିଗପହଣ୍ଡି ,ପାଟପୁର , ଶେରଗଡ଼ ବଡଗଡ, ସୋରଡ଼ା ଆଦି ଥାନା ଅଞ୍ଚଳର ଘଞ୍ଜ ଜଙ୍ଗଲରେ ସ୍ଥାନୀୟ ନିରୀହ ଆଦିବାସୀଙ୍କୁ ଆୟୁଧ କରି ଆନ୍ତରାଜ୍ୟ ମାଫିଆଙ୍କ ଦ୍ଵାରା ବ୍ୟାପକ ଗଞ୍ଜେଇ ଚାଷ ହେଉଥିଲେ ମଧ୍ୟ ଅବକାରୀ ବିଭାଗ ପଟାଦାର ମଦ ବ୍ୟବସାୟୀଙ୍କୁ ସୁରକ୍ଷା ଦେଇ ହଜାର ଲିଟର ପୋଚ ନଷ୍ଟ କରି ବାହାବା ନେଉ ଥିବା ବେଳେ ଅବୈଧ ଗଞ୍ଜେଇ କାରବାରକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସ୍ପଷ୍ଟ ଜଣାପଡ଼ିଛି । କିନ୍ତୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂହଙ୍କ ତତ୍ତ୍ଵାବଧାନରେ ଆଜି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସୋରଡ଼ା ଥାନା ଅଧିକାରୀ , ଶେରଗଡ଼ ଏବଂ କୋଟିନଡ଼ା ଥାନା ଅଧିକାରୀଙ୍କ ସହ ଦୁଇ ପ୍ଲାଟୁନ ପୋଲିସ୍ ବଳ ନେଇ ପାଟପୁର ଥାନା ଅଞ୍ଚଳର ସାତପେଣ୍ଠ ଗୋପାଳପୁର ପଞ୍ଚାୟତର ବାଇଲ ଖୋଲିଆ ନିକଟ ଅଗମ୍ୟ ପାହାଡ଼ ଜଙ୍ଗଲ ଘେରା ଜାଗାରେ ବିସ୍ତୃତ ୨୦ ଏକର ଗଞ୍ଜେଇ ଫସଲକୁ ମିଳିତ ପୋଲିସ ବାହିନୀ କାଟି ପୋଡ଼ି ନଷ୍ଟ କରିଛି । ଆନୁମାନିକ ୨ ଲକ୍ଷରୁ ଅଧିକ ଗଞ୍ଜେଇ ଗଛର ବଜାରମୂଲ୍ୟ ପ୍ରାୟ ଦୁଇ କୋଟି ଟଙ୍କାର ହେବା ନେଇ ଆକଳନ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସଂଯୋଜନା ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲୀପ ଜେନାଙ୍କ ଉପସ୍ଥିତିରେ ଗଞ୍ଜେଇ ଚାଷ ପାହାଡି ଜମିରେ କଟାଯାଇ ସେଗୁଡିକୁ ନିଆଁ ଲଗାଇ ନଷ୍ଟ କରାଯାଇଥିଲା । ଆଜି ପୋଲିସ ପକ୍ଷରୁ କରାଯାଇଥିବା ଏହି ଗଞ୍ଜେଇ କଟା ଅଭିଯାନରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଶେରଗଡ଼ ଆଇ ଆଇ ସି ନରେନ୍ଦ୍ର ଶିଆଳ, ସୋରଡ଼ା ଥାନାଧିକାରୀ ଅନିଲ କୁମାର ପରିଡ଼ା , କୋଟିନଡା ଥାନା ଅଧିକାରୀ କୃଷ୍ଣ ସାହୁଙ୍କ ସହ ବହୁ ପୋଲିସ ଅଧିକାରୀ ଅଂଶଗ୍ରହଣ କରିଥିଲେ । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଜେବେଠାରୁ ପାଟପୁର ଥାନାର ଦାୟିତ୍ଵ ନେଇଛନ୍ତି ସେବେଠାରୁ ଅଞ୍ଚଳରେ ଗଞ୍ଜେଇ ମାଫିଆ , ମଦ ମାଫିଆ ମାନଙ୍କ ମନରେ କୋକୁଆ ଭୟ ଦେଖିବାକୁ ମିଳିଛି । ପାଟପୁର ଥାନାକୁ ଏକ ଆଦର୍ଶ ଥାନାରେ ପରିଣତ କରିବାର ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ।

ରିପୋର୍ଟ – ଆରତ କୁମାର ହୋତା

Leave A Reply

Your email address will not be published.