ଦୋବଲ,୩୦/୧୧: ଭଦ୍ରକ ଜିଲ୍ଲା ଧାମନଗର ବନାଞ୍ଚଳର ୨ଟି ସ୍ଥାନରେ ଚାଲିଥିବା ବେଆଇନ କରତ କଳ ଉପରେ ବନ ବିଭାଗ ଟାସ୍କ ଫୋର୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ଯର କାଠ ଜବତ ହୋଇଛି। ଏହାସହ ଉଭୟ କରତ କଳ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଆଜି ସକାଳୁ ସକାଳୁ ଧାମନଗର ଏନ୍ଏସି ମୁଲଣା ସାହି ଠାରେ ବିନା ଲାଇସେନ୍ସରେ ଚାଲିଥିବା କରତ କଳ ଉପରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉବେଳେ ଉକ୍ତ ମିଲର ସମସ୍ତ ଯନ୍ତ୍ରାଂଶ କାଟି ନେଇଛି ଭିଜିଲାନ୍ସ ୱିଙ୍ଗ। ଏହାସହ ପାଖାପାଖି ୩ ଲକ୍ଷ ଟଙ୍କାର ସିଫ୍ଟ କାଠ ଜବତ କରିଛି। ସେହିପରି ନିକଟ ହବିବନଗର ରେ ଚାଲିଥିବା କରତ କଳ ଉପରେ ମଧ୍ଯ ଚଢ଼ଉ ହୋଇଛି। ଏହି ବେଆଇନ ମିଲରୁ ୨ଲକ୍ଷ ଟଙ୍କାର କାଠ ଜବତ କରାଯାଇଛି। ଏହାସହ ବନ କର୍ମଚାରୀ ଓ ଅଧିକାରୀ ସାଙ୍ଗରେ ଗ୍ଯାସ କଟର ଆଣି ୨ମିଲର ସମସ୍ତ ଯନ୍ତ୍ରାଂଶ କାଟି ନେଇଛନ୍ତି। ଏହାପରେ ଦୁଇ କରତ କଳର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯିବ ବୋଲି କହିଥିଲେ।
ସରକାରଙ୍କ ପକ୍ଷରୁ ବାରିକପୂର୍ କେନ୍ଦୁଆପଦାରେ ଲାଇସେନସପ୍ରାପ୍ତ କରତ କଳ ଚାଲୁଅଛି। ହେଲେ ଏହା ଦୂର ହେଉଥିବାର ସୁଯୋଗ ନେଇ ଦୁଇ ଜଣ ଲୋକ ବେଆଇନ ଭାବେ ଦୁଇଟି ସ୍ଥାନରେ କରତ କଳ ଚଲାଇଥିଲେ। ସ୍ଥାନୀୟ ବନ କର୍ମଚାରୀଙ୍କ ସହଯୋଗରେ ଦୁଇଟି ଯାକ ମିଲ୍ ଦୀର୍ଘ ଦିନ ହେଲା ଚାଲୁଥିଲା। ହେଲେ ଏ ବେଆଇନ କରତ କଳ ବିରୋଧରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ ମଧ୍ଯ କରୁଥିଲେ। ସ୍ଥାନୀୟ ବନ କର୍ମଚାରୀଙ୍କ ଯୋଗୁଁ ଚଢ଼ଉ ନେଇ ଆଗୁଆ ସୂଚନା ପାଇ ଏମାନେ ସତର୍କ ହୋଇଯାଉଥିଲେ। ହେଲେ ବନ ବିଭାଗର ଭିଜିଲାନ୍ସ ଟିମ୍ ଏ କଥା ଜାଣିବା ପରେ ଆଜି କଟକ ଓ ବାଲେଶ୍ବରରୁ ଆସି ସିଧାସଳଖ ଚଢ଼ଉ କରିଥିଲେ।