ବୃଦ୍ଧଙ୍କୁ ହତ୍ୟା,ସନ୍ଦେହ ଘେରରେ ଜ୍ୱାଇଁ ।

0 253

ସମ୍ବଲପୁର,୨୫/୦୯ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଲୋଇସିଂ ଗ୍ରାମର ମୁଣ୍ଡା ପଡା ରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକ ଜଣଙ୍କ ନାମ ଲବ ମୁଣ୍ଡା (ଡୁଡି ) ବୋଲି ଜଣା ପଡିଛି । ବୁଧୁବାର ସକାଳୁ ଏହି ଘଟଣା ଜଣା ପଡିବା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଲବ ମୁଣ୍ଡା ନିଜ ଘର ବାରଣ୍ଡାରେ ଖଟ ଉପରେ ଶୋଇଥିବା ବେଳେ ଆଜି ସକାଳୁ ଖଟ ତଳୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି । ଲବ ର ସ୍ତ୍ରୀ ଗତ କିଛି ବର୍ଷ ହେବେ କେଉଁ ଆଡେ ଚାଲି ଯାଇଥିବା ବେଳେ ଲବ ଘରେ ଏକୁଟିଆ ରହୁଥିଲା । ତେବେ ଡୁଡି ମୁଣ୍ଡା ର ଜ୍ୱାଇଁ ଗତ କିଛି ଦିନ ହେଲା ଶ୍ଵଶୁର ଘରକୁ ଆସି ଶ୍ଵଶୁର ଡୁଡି ସହିତ ମଝିରେ ମଝିରେ କୌଣସି କଥାକୁ ନେଇ ଝଗଡା କରି ଆସୁଥିଲା । ମଙ୍ଗଳବାର ଦିନ ମଧ୍ୟ ଡୁଡି ର ଜ୍ୱାଇଁ ଶ୍ଵଶୁର ଘର ଆସି ଶ୍ଵଶୁର ସହିତ ଝଗଡା କରି ଧମକ ଚମକ ଦେଇଥିବା ଗ୍ରାମ ବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବାରୁ ଏହି ହତ୍ୟା ଘଟଣାରେ ଜ୍ୱାଇଁଙ୍କର ହାତ ଥିବା ସନ୍ଦେହ କରାଯାଉଛି । ଖବର ପାଇ କିସିଣ୍ଡା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Leave A Reply

Your email address will not be published.