ପୋଲସରା, ୦୯/୧୨(ପିପିଟି):ପୋଲସରା ବ୍ଳକରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନେ ବୁଧବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଆଜି ସଂଘ ପକ୍ଷରୁ ଉପରୋକ୍ତ ମର୍ମ ଏକ ସ୍ମାରକ ପତ୍ର ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ପ୍ରଦାନ କରାଯାଇଛି। ପୋଲସରା ବ୍ଳକ କନିଷ୍ଠ ଶିକ୍ଷକ ସଂଘ ର ସଭାପତି ମୃତ୍ୟୁଞ୍ଜୟ ସାହୁ ଓ ସମ୍ପାଦକ ନିରଞ୍ଜନ ଦୀକ୍ଷିତ ଜଣାଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଅଗଷ୍ଟ ମାସରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ମୂଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ଏହା ମଧ୍ୟ ରେ ତିନି ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଆନୁସଂଗିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କନିଷ୍ଠ ଶିକ୍ଷକ ସଂଘ ର ରାଜ୍ୟ କମିଟି ର ନିଷ୍ପତ୍ତି ଅନୁଯାୟୀ ବୁଧବାର ଠାରୁ ପୋଲସରା ବ୍ଳକ ରେ କାର୍ଯ୍ୟରତ ସମସ୍ତ ୪୨ ଜଣ କନିଷ୍ଠ ଶିକ୍ଷକ ସମୂହ ଛୁଟି ନେବେ। ଶିକ୍ଷକ ମାନଙ୍କ ଦାବି ପୂରଣ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜି ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ ସମୟରେ ପ୍ରଭାତ କୁମାର ସାହୁ , ଚିତ୍ରସେନ ପାତ୍ର , ରତ୍ନାକର ପ୍ରଧାନ , ସୁରଜ ସାହୁ , ଲଳିତ ଶେଖର ସିଂ ପୂଜା ଗୌଡ଼ , ସିନ୍ଦୂର ସୋରେନ ଓ ଆଶା ଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା