ବୁଗୁଡା ବନାଞ୍ଚଳ ପକ୍ଷରୁ ବନାଗ୍ନି ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ।

0 1

ପୋଲସରା,(ପିପିଟି) ୨୧/୦୨: ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ବାଲିପଦର ସେକ୍ସନ ପକ୍ଷରୁ ଫେବୃୟାରୀ ୨୧ ତାରିଖ ଦିନ ଗୌଡ଼ିଆ ବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ “ବନାଗ୍ନି ପ୍ରତିରୋଧ ସଚେତନତା ସଭା ” ଆୟୋଜିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ସଭାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ , ମୁଖ୍ୟବକ୍ତା ଭାବେ ତାଳସାକର ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ମିତ୍ର ଗୌରୀଶଙ୍କର ମିଶ୍ର, ସମ୍ନାନୀତ ଅତିଥି ଭାବେ ତାଳସାକର ସିଆରସିସି ଦିଲ୍ଲୀପ କୁମାର ବେହେରା ଓ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରେଞ୍ଜ ଅଫିସର ଶ୍ରୀ ସାହୁ, ପ୍ରକୃତି ମିତ୍ର ଶ୍ରୀ ମିଶ୍ର, ସିଆରସିସି ଶ୍ରୀ ବେହେରା ଓ ଫରେଷ୍ଟର ଶ୍ରୀ ପଟ୍ଟନାୟକ ଶିକ୍ଷାର୍ଥୀମାନଙ୍କୁ ବନାଗ୍ନି କୁ କିପରି ପ୍ରତିରୋଧ କରାଯାଇପାରିବ ବୁଝାଇଥିଲେ। ଜଙ୍ଗଲରେ ଅଗ୍ନି ଲାଗିବା ଦ୍ୱାରା ବହୁ ମୂଲ୍ୟବାନ ବୁକ୍ଷ ସମେତ ବହୁ ଔଷଧୀୟ ବୃକ୍ଷ ଲତା ପୋଡି ନଷ୍ଟ ହେବା ସହ ପରିବେଶ ଉପରେ ଏହାର କୁପ୍ରଭାବ ବିଷୟରେ ବୁଝାଇଥିଲେ। ଏହାପରେ ବନାଗ୍ନି ପ୍ରତିରୋଧ ପାଇଁ ପ୍ଲାକାର୍ଡ ଓ ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇ ଏକ ରାଲି ବାହାରି ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଷୟରେ କୁଇଜ ପ୍ରତିଯୋଗିତା ହୋଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କ ସମେତ ବାଲିପଦର ସେକ୍ସନ ବନରକ୍ଷୀ ଓ ବନ ବିଭାଗ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.