ବୀର୍ସା ମୁଣ୍ଡାଙ୍କ ଲଢେଇ କମ୍ପାନୀ ଠାରୁ ଆଦିବାସୀଙ୍କ ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ଉଦ୍ଧିଷ୍ଟ ଥିଲା ।

0 227

ଗୁଣପୁର,୧୫/୧୧(ପିପିଟି):ଭାରତର ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ମହାନ୍ ଯୋଦ୍ଧା ତଥା ଜମି ଜଙ୍ଗଲ ଓ ସ୍ଵାଧୀନତା ପାଇଁ ଆଦିବାସୀଙ୍କ ଐତିହାସିକ ବିଦ୍ରୋହ “ଉଲଗୁଲାନ୍”ର ମହାନାୟକ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଆଜି ଅଲ ଇଣ୍ଡିଆ ଟ୍ରାଇବଲ ଫୋରମ୍ ପକ୍ଷରୁ ଗୁଣପୁର ସହରରେ ଏକ ବିଶାଳ ଶୋଭାଯାତ୍ରା ଓ ସମାବେଶ ଆୟୋଜିତ ହୋଇଯାଇଛି । ପୂର୍ବାହ୍ନରେ ଗୁଣପୁର ସବଡିଭିଜନ୍ ଅନ୍ତର୍ଗତ ଶତାଧିକ ଗ୍ରାମରୁ ସହସ୍ରାଧିକ ଆଦିବାସୀ ସ୍ଥାନୀୟ କଲେଜ ଛକ ଠାରେ ରୁଣ୍ଢ ହୋଇ ଏକ ଶୋଭାଯାତ୍ରାରେ ବାହାରି ବାଇପାସ୍ ଦେଇ ଟାଉନହଲ୍ ଠାରେ ପହଞ୍ଚିଥିଲେ । ‘ବୀର୍ସା ମୁଣ୍ଡା ଅମର ରହେ’, ‘ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ଉପରେ ଅଧିକାର ଦିଅ’, ‘ବିକାଶ ନାଁରେ ଆଦିବାସୀଙ୍କ ଜମି, ଜଙ୍ଗଲ ଓ ମାଳି ଛଡେଇ କମ୍ପାନୀଙ୍କୁ ଟେକି ଦେବା ଚଳିବ ନାହିଁ’, ‘ବୀର୍ସା ମୁଣ୍ଡା ଡାକରା ଦିଏ, ଲଢେଇ କରି ବଞ୍ଚିହୁଏ’ ଆଦି ସ୍ଳୋଗାନ ଦେଇ ସେମାନେ ଶୋଭାଯାତ୍ରା କରିବା ପରେ ଟାଉନ୍ ହଲ୍ ଠାରେ ଏକ ସମାବେଶର ଆୟୋଜନ କରିଥିଲେ । ପ୍ରଥମେ ବୀର୍ସା ମୁଣ୍ଡାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରାଯାଇଥିଲା ।

ଅଲ୍ ଇଣ୍ଡିଆ ଟ୍ରାଇବଲ ଫୋରମର ଆବାହକ କେଦାର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ବୀର୍ସା ମୁଣ୍ଡାଙ୍କ ଐତିହାସିକ ବିଦ୍ରୋହ କେବଳ ବିଦେଶୀ ଶାସକମାନଙ୍କ ବିରୁଦ୍ଧରେ ସ୍ଵାଧୀନତାର ହିଁ ଲଢେଇ ନଥିଲା । ବରଂ ତାହା ଆଦିବାସୀମାନଙ୍କ ଜମି,ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ଉପରେ ଅଧିକାର ପ୍ରତିଷ୍ଠାର ଲଢେଇ ଥିଲା ।ସେତେବେଳେ ବ୍ରିଟିଶ ସରକାର ଆଦିବାସୀଙ୍କ ଜମି ଓ ଜଙ୍ଗଲକୁ ଛଡେଇ କମ୍ପାନୀଙ୍କୁ ଟେକି ଦେଉଥିବା ବେଳେ ଆଜି ସେହି କାମ ଆମ ଦ୍ଵାରା ନିର୍ବାଚିତ ସରକାରମାନେ କରୁଛନ୍ତି ବୋଲି କହିଥିଲେ । କେନ୍ଦ୍ର ଓ ରାଜ୍ୟର ବିଜେପିର ଡବଲ ଇଞ୍ଜିନର ସରକାର ଗୋଟିଏ ପଟେ ଆଦିବାସୀଙ୍କୁ ନିଜ ଆଡକୁ ଟାଣିବା ପାଇଁ ବୀର୍ସାଙ୍କ ଜୟନ୍ତୀକୁ ଜନଜାତୀର ଗୌରବ ଦିବସ ବୋଲି ଘୋଷଣା କରି ତାକୁ ପାଳନ କରୁଥିବା ବେଳେ ଅନ୍ୟ ପଟେ ଆଦିବାସୀଙ୍କ ଠାରୁ ସେମାନଙ୍କ ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦକୁ ଛଡେଇ ବଡ ବଡ କମ୍ପାନୀଙ୍କୁ ଦେବା ତା’ର ଛଳନାର ରାଜନୀତିକୁ ଦର୍ଶାଉଛି ବୋଲି କହିଥିଲେ । କେବଳ ସେତିକି ନୁହେଁ, ସେମାନେ ଧର୍ମ ନାଁରେ ଆଦିବାସୀମାନଙ୍କୁ ଭାଗ ଭାଗ କରି ସେମାନଙ୍କୁ ଦୁର୍ବଳ ଓ ଅସହାୟ କରିବାକୁ ଚାହୁଁଛନ୍ତି । ଏହାଛଡା ବିଜେପି ଓ ଆରଏସଏସର ଗତ ଦଶ ବର୍ଷର ଶାସନ କାଳରେ ଆଦିବାସୀ ଓ ଜଙ୍ଗଲର ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ଓ ନିୟମକୁ ସଂଶୋଧନ କରି ସେସବୁକୁ ଦୁର୍ବଳ କରିବା ଦେଖାଯାଇଛି । ଅନ୍ୟମାନଙ୍କ ମଧ୍ୟରେ କାଡୁକା ଶବର,କନୀନ୍ଦ୍ର ଜାଲିକା,ବୁଦ୍ଧଦେବ ଶବର,ସରସ୍ଵତୀ ଶବର,ସୁମ୍ଵରା ଶବର,ରମେଶ ଶବର, ଭୂଷଣ ଶବର,ଅନିରୁଦ୍ଧ ମଲ୍ଲିକ ପ୍ରମୁଖ ଆଦିବାସୀ ନେତା ତଥା ରାଜୁ ଜେନା, ବଳରାମ ନାୟକ, ହେମରାଜ ଦାସ ପ୍ରମୁଖ ବକ୍ତା ଯୋଗଦେଇ ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ବୀର୍ସା ମୁଣ୍ଡା ଦେଖାଇଥିବା ରାସ୍ତାରେ ଆଗେଇ ଯିବା ହିଁ ତାଙ୍କର ସ୍ମୃତି ପ୍ରତି ସବୁଠାରୁ ବଗ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।

Leave A Reply

Your email address will not be published.