ପୋଲସରା, ୧୬/୧୨(ପିପିଟି) : ପୋଲସରା ଅଞ୍ଚଳର ଏକମାତ୍ର ଓଁ ଶ୍ରୀ ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘ ପୋଲସରାର ଏକ ସାଧାରଣ ବୈଠକ ରାଣିପଡ଼ା ଶ୍ରୀ ଶ୍ରୀ ପଶ୍ଚିମ ମୁଖ ଲଙ୍ଗଳେଶ୍ବର ପୀଠ ନିକଟସ୍ଥ ଦେବଶିଳ୍ପି ବିଶ୍ଵକର୍ମାଙ୍କ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ସଂଘ ସଭାପତିଙ୍କ ନିର୍ଦ୍ଦେଶ ଏବଂ ଅନୁପସ୍ଥିତିରେ ସଂଘ ଉପସଭାପତି ଜୟଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଠ ବ୍ୟାପାରି
ବାବୁଲି ପୃଷ୍ଟି ଏଵଂ ସମ୍ମାନୀତ ଅତିଥିଭାବେ ସନ୍ତୋଷ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ସର୍ବପ୍ରଥମେ କୁଳଇଷ୍ଟ ବିଶ୍ଵକର୍ମାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଧିବିଧାନ ଏବଂ ନୀତିନିୟମ ପ୍ରକାରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଅତିଥିମାନଙ୍କୁ ସ୍ଵାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉପସଭାପତି ନିଜର ସ୍ବାଗତ ଭାଷଣରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ସଂଘର ବିଭିନ୍ନ କାର୍ଯ୍ୟପନ୍ଥାକୁ ନେଇ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ବାର୍ଷିକ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସଂଘର ଆୟ ବ୍ୟୟ,ହିସାବ କିତାବ ଏବଂ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା। ପରେ ଡ୍ରେସ୍ କୋଡ୍ ନିୟମକୁ ପାଳନ କରାଯାଇ ସଂଘ ପକ୍ଷରୁ ସମସ୍ତଙ୍କୁ ପୋଷାକ ବଣ୍ଟନ କରାଯିବା ସହ କର୍ମକର୍ତ୍ତା ନିଜ ନିଜର କର୍ମ କ୍ଷେତ୍ରରେ ଡ୍ରେସ୍ କୋଡକୁ ମାନି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଷରେ ପୂର୍ବତନ ସମ୍ପାଦକ ଭଗବାନ ପ୍ରଧାନ ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ଉପସ୍ଥିତ ସମସ୍ତ ଅତିଥି ଏବଂ ସଦସ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା