ବିରଜା କ୍ଷେତ୍ରରେ ନିର୍ମାଣ ହେଉଛି ବିଶ୍ୱର ବୃହତ୍ତମ ଶିବମୂର୍ତ୍ତି;ଶିବରାତ୍ରିରେ ଲୋକାର୍ପିତ ହେବ ଧ୍ୟାନମଗ୍ନ ଶିବମୂର୍ତ୍ତି ।

0 288

ଯାଜପୁର,୩୧/୦୧(ପିପିଟି):ଯାଜପୁର ଦେଶର ଅନ୍ୟ ପୁରାତନ, ଐତିହାସିକ,ସାଂସ୍କୃତିକ ସହର । ଦେଶର ବିଭିନ୍ନ ଶକ୍ତି କ୍ଷେତ୍ର ମଧ୍ୟରୁ ଅନ୍ୟତମ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା । ଗଙ୍ଗାଠାରୁ ବି ପବିତ୍ର ବୈତରଣୀ ନଦୀ ଏହି ସହର ଦେଇ ପ୍ରବାହିତ । ଏ ମାଟିର ମହକ ଭିନ୍ନ, ଏ ମାଟିର ପବିତ୍ରତା ଭିନ୍ନ, ଏ ମାଟିର ଗରିମା ବି ଭିନ୍ନ । ଏ ମାଟିରେ ଭରି ରହିଛି ପବିତ୍ରତା । ମାଙ୍କ ନାମରେ ସବୁ କାର୍ଯ୍ୟ ଆରମ୍ଭ ହୁଏ । ଏହି ମାଟିର ପୌରାଣିକ ଗାଥା ବେଶ ପ୍ରାଚୀନ ଓ ନିଆରା । ନିକଟ ଅତୀତରେ ଏହି ସହର ନୂଆ ବିକାଶରେ ପାଦ ଥାପିଛି । ପୁରୁଣା ସହରର ନବ କଳେବର ହେଉଛି । ବିଭିନ୍ନ ପ୍ରକଳ୍ପ ମଧ୍ୟରେ ନିର୍ମାଣ ହେଉଛି ଧ୍ୟାନମଗ୍ନ ଶିବଙ୍କ ବିଶାଳ ମୂର୍ତ୍ତି । ଯାହା ହେବାକୁ ଯାଉଛି ବିଶ୍ୱର ସର୍ବ ବୃହତ ଧ୍ୟାନମଗ୍ନ ଶିବ ମୂର୍ତ୍ତି । ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ବରାହ ପୀଠ ନିକଟରେ ନିର୍ମାଣ ହେଉଛି ଏହି ବିଶାଳ ମୂର୍ତ୍ତି । ଯାହାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୂର୍ତ୍ତି ର ଉଚ୍ଚତା ରହିଛି ୧୮୩ ଫୁଟ । ଭୂମିକୁ ଛାଡି ୩୦ ଫୁଟ ଉଚ୍ଚରୁ ନିର୍ମାଣ ହେଉଛି ଏହି ମୂର୍ତ୍ତି । ଦିଲ୍ଲୀର ମାତୁରାମ ଆର୍ଟ ସଂସ୍ଥା ଏହି ମୂର୍ତ୍ତି ନିର୍ମାଣ ଦାୟିତ୍ୱ ନେଇଛି । ଲୁହା ଓ ଫାଇଭର ରେ ଏହି ମୂର୍ତ୍ତି ନିର୍ମାଣ ହେଉଥିଲା ବେଳେ ଏହାକୁ ଖରା ବର୍ଷାରୁ ସୁରକ୍ଷିତ ରଖିବାକୁ ତମ୍ବାରେ ଆଚ୍ଛାଦିତ କରାଯିବ। ଏହି ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୧୬ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଜଣାଯାଇଛି । ମୂର୍ତ୍ତି ନିର୍ମାଣ ପରେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାକୁ ଯାଉଥିଲା ବେଳେ ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ମୂର୍ତ୍ତି ଚତୁଃପାର୍ଶ୍ଵରେ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ନିର୍ମାଣ ହେଉଛି । ଆଗାମୀ ମହାଶିବରାତ୍ରିରେ ଏହା ଲୋକାର୍ପିତ ହେବ ବୋଲି ଜଣାଯାଇଛି । କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲାବେଳେ ସମସ୍ତଙ୍କ ନଜର ଧ୍ୟାନମଗ୍ନ ଶିବଙ୍କ ମୂର୍ତ୍ତି ଉପରେ କେନ୍ଦ୍ରୀଭୂତ ହୋଇଛି ।ଧନ୍ୟବାଦ ପାତ୍ର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍ୟମ ଓ ଇଂ ତାରାପ୍ରସାଦ ମିଶ୍ରଙ୍କ ପ୍ରଚେଷ୍ଟା ସାଧାରଣ ରେ ବେଶ ପ୍ରଶଂସନୀୟ।

Leave A Reply

Your email address will not be published.