ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇଲେ ମା’ ସରସ୍ୱତୀ ।

0 198

ଭଞ୍ଜନଗର, ୨୩/୦୧(ପିପିଟି ):ଆଜି ହେଉଛି ପବିତ୍ର ଶ୍ରୀ ପଞ୍ଚମୀ।ତେଣୁ ଗାଁ ଠାରୁ ସହର ସାରା ଉତ୍ସବମୁଖର ହୋଇ ଉଠିଛି।ଦେବୀଙ୍କ ସୁନ୍ଦର ମୃଣ୍ମୟୀ ମୂର୍ତ୍ତୀ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଓ ରଙ୍ଗବେରଙ୍ଗର ଆଲୋକ ମାଳାରେ ପୂଜା ମଣ୍ଡପ ଗୁଡିକ ଝଲସି ଉଠୁଛି। ବିଦ୍ୟାଦାୟିନୀ ମା’ ସରସ୍ଵତୀଙ୍କ ପୂଜାକୁ ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ସକାଳୁ ସକାଳୁ ଛାତ୍ରଛାତ୍ରୀ ମାନେ ନିତ୍ୟକର୍ମ ସାରି ନୂତନ ପୋଷାକ ପରିଧାନ କରି ବିଭିନ୍ନ ଫୁଲ ଫଳ ଓ ଭୋଗ ସାମଗ୍ରୀ ଧରି ପୂଜା ମଣ୍ଡପରେ ପହଞ୍ଚି ବିଦ୍ୟାଦାତ୍ରୀ ମାତା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରିଥିଲେ।ମା’ ସରସ୍ଵତୀଙ୍କୁ ସନ୍ତୁଷ୍ଟ କରି ଆଶୀର୍ବାଦ ଲାଭ କରିବା ପାଇଁ ଅନେକ ଛାତ୍ରଛାତ୍ରୀ ଉପବାସ ବ୍ରତ ରଖି ପୂଜା ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ,ଶିକ୍ଷାନୁଷ୍ଠାନ ଗୁଡ଼ିକ ସମେତ ଭଞ୍ଜନଗର ସହରରେ ଥିବା ମୁଖ୍ୟ ଡାକଘର,ତ୍ରିପାଠୀ ଟ୍ୟୁଟୋରିଆଲ, ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀରେ ମଧ୍ୟ ମାଆ ସରସ୍ୱତୀ ପୂଜା ପାଉଛନ୍ତି।ଏଥିରେ କର୍ତ୍ତା ଭାବେ ଶାନ୍ତନୁ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ସ୍ନେହଲତା ସାହୁ ଉପସ୍ଥିତ ରହି ପୂଜାକାର୍ଯ୍ୟ ତୁଲାଇଥିଲେ।ୟୁଡିଏ ମୁଖ୍ୟ ଜେ.କେ ପଟ୍ଟନାୟକ, ପ୍ରଶିକ୍ଷକ ମାଷ୍ଟର ପିଣ୍ଟୁ, ଲିପୁନ, ନାଲୁ, ବିକାଶ, ପ୍ରିୟା ଓ ଅନ୍ୟମାନେ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ।ଆସନ୍ତା ୨୫ ତାରିଖ ସନ୍ଧ୍ୟାରେ ଭଞ୍ଜନଗର ମୁଖ୍ୟ ଡାକଘର ପରିସରରେ ୟୁଡିଏ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଜଣାପଡ଼ିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.