ବିଭିନ୍ନ ଦାବିନେଇ ସିଦ୍ଧେଶ୍ୱର କଲେଜରେ ଛାତ୍ର ଅଶାନ୍ତି ।

0 120

ଅମର୍ଦ୍ଦାରୋଡ଼,୦୮/୧୧: ବସ୍ତା ବ୍ଲକ୍ ଅର୍ନ୍ତଗତ ଅମର୍ଦ୍ଦାରୋଡ଼ ସ୍ଥିତ ସିଦ୍ଧେଶ୍ଵର ମହାବିଦ୍ଯାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଶୁକ୍ରବାର ପୂର୍ବାହ୍ଣରେ ଛାତ୍ରଛାତ୍ରୀମାନେ ମହାବିଦ୍ଯାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ସାଧରଣ କକ୍ଷରେ ତାଲା ପକାଇ ୪ଘଣ୍ଟା ଅଟକ ରଖିଥିଲେ । ସୂଚନା ଅନୁସାରେ ମହାବିଦ୍ଯାଳୟର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଛାତ୍ରଛାତ୍ରୀ ପୂର୍ବରୁ ଅଧ୍ୟକ୍ଷା ରୀତା ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଅଧ୍ୟକ୍ଷା ଏଥିପ୍ରତି କର୍ଣ୍ଣପାତ କରି ନଥିବା ଅଭିଯୋଗରେ ଓ ସମସ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଆଜି ମଧ୍ୟାହ୍ଣ ୧୨ଟା ଠାରୁ ଅପରାହ୍ଣ ସାଢେ ୪ଟା ପର୍ଯ୍ୟନ୍ତ ମହାବିଦ୍ଯାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ସାଧରଣ କକ୍ଷରେ ତାଲା ପକାଇ ୪ଘଣ୍ଟା ଅଟକ ରଖିଥିଲେ। ସେହିଭଳି ମହାବିଦ୍ଯାଳୟରେ ପ୍ରଶସ୍ତ ଖେଳପଡ଼ିଆ ଥିବା ସତ୍ତ୍ବେ ସେଥିରେ ଜନ୍ମିଥିବା ଅନାବନା ଗଛସବୁକୁ ସଫା ନକରି ପି ଇ ଟି ଶିକ୍ଷକ କୃଷ୍ଣଚନ୍ଦ୍ର ଲେଙ୍କା ଓ କଲେଜ କର୍ତ୍ତୃପକ୍ଷ ମନମୁଖୀ ଭାବେ ଖେଳାଳି ଚୟନ କରି ସିଧାସଳଖ ଆନ୍ତଃ ବିଶ୍ବବିଦ୍ୟାଳୟ ସ୍ତରୀୟ ଫୁଟବଲ ଖେଳଲାଗି ପଠାଇଦେବାରୁ ଛାତ୍ରଛାତ୍ରୀ ଅଧ୍ୟକ୍ଷାଙ୍କ ଉପରେ ଖୁବ ବର୍ଷି ଥିଲେ।ଖବର ପାଇ ଅଧ୍ଯକ୍ଷା ଶ୍ରୀମତି ନାଏକଙ୍କ ସହ ଏକ ପ୍ରତିନିଧି ଦଳ ମୁଖ୍ୟ ଫାଟକ ନିକଟକୁ ଆସି ପିଲାମାନଙ୍କ ସହ ଆଲୋଚନା କରିଥିଲେ । ମାତ୍ର ସମାଧାନର ପନ୍ଥା ନବାହାରିବାରୁ ଖବର ପାଇ ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ।ପରେ ଅଧ୍ଯକ୍ଷା,ଅଧ୍ୟାପକ ଅଧ୍ୟାପିକା,ଅଣଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତି ଆଗାମୀ ୫ ଦିନ ମଧ୍ୟରେ ପଡ଼ିଆକୁ ସଫା କରାଯାଇ ଅବଶିଷ୍ଟ ଦାବି ଗୁଡ଼ିକ ଲାଗି ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶୃତି ମିଳିବା ପରେ ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ତାଲା ଫିଟାଇବା ସହ ସାଧରଣ କକ୍ଷରେ ୪ଘଣ୍ଟା ଧରି ଅଟକ ଥିବା ଅଧ୍ୟାପକ ଓ ଅଧ୍ୟାପିକା ମୁକୁଳିଥିଲେ। ଅନ୍ୟପଟେ ବାରମ୍ବାର ଉକ୍ତ ମହାବିଦ୍ଯାଳୟରେ ଛାତ୍ର ଅଶାନ୍ତି ଦେଖାଦେବାକୁ ନେଇ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର ଘଡ଼ାଇ ଅଧ୍ୟକ୍ଷାଙ୍କୁ ଏକ ରିପୋର୍ଟ ପ୍ରଦାନ କରିବାକୁ କହିଥିବା ଜାଣିବାକୁ ମିଳିଛି।

Leave A Reply

Your email address will not be published.