ଦିଗପହଣ୍ଡି, ୨୩/୦୨(ପିପିଟି) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିନକୁ ଦିନ ବିପଦରେ ଗୋ ମାତା ମାନେ ରହୁଥିବା ବେଳେ ଅନେକ ଙ୍କ ଜୀବନ ଚାଲିଯାଉଛି ହେଲେ ପରିତାପର ବିଷୟ ପ୍ରାଣୀ ଚିକିତ୍ସକ ମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହୁଥିବା ବେଳେ ଗୋ ମାତା ମାନଙ୍କ ଜୀବନ ଏବେ ସଙ୍କଟରେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଓ ଖମାରୀ ଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗାଈ ଓ ବାଛୁରୀ ଛୁଆ ମାନେ ଚଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ୨୦ ରୁ ଉର୍ଦ୍ଧ ଗାଈ ଓ ବାଛୁରୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏହି ରୋଗର ଲକ୍ଷଣ ଚଟୁଆ ଫୁଲିବା ସହ ପେଟ ଫୁଲି ଗୁରୁତର ହୋଇଥାନ୍ତି ଗାଈ ଓ ବାଛୁରୀ ମାନେ ପରେ ପ୍ରାଣ ହରାଇଥାନ୍ତି । ଏମାନଙ୍କୁ କୌଣସି ପ୍ରକାରର ଔଷଧ କିମ୍ବା ରୋଗ ପ୍ରତିଷେଧକ ଟୀକା ଦିଆଗଲେ ମଧ୍ୟ କାମ କରୁନଥିବା ଗୋ ଚାଷୀ ସିମାଞ୍ଚଳ କର କହିଛନ୍ତି । ଖମାରୀ ଗାଁ ପଞ୍ଚାୟତ ସେବକ ଟିକରପଡ଼ା ଗ୍ରାମର ସିମାଞ୍ଚଳ କର ଙ୍କ ଗୋଟିଏ ବାଛୁରୀ , ଲାବନ୍ୟ ଗୌଡ଼ଙ୍କ ଗାଈ ଗୋଠର ୫ ବାଛୁରୀ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର ରଙ୍କ ଗୌଡ଼ଙ୍କ ୩ ବାଛୁରୀ ଏବଂ ବାୟା ଗୌଡ଼ଙ୍କ ୪ ବାଛୁରୀ ଛୁଆ ପ୍ରାଣ ହରାଇଛନ୍ତି । ତେବେ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ବିଷୟ ଗ୍ରାମବାସୀ ଚଟୁଆ ରୋଗ ବ୍ୟାପିବାର ଖବର ପଶୁ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କାହାରି ଦେଖା ମିଳିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଦିଗପହଣ୍ଡି ଭ୍ରାମ୍ୟମାଣ ଗାଡ଼ି ଥିଲେ ମଧ୍ୟ ଗାଁ କୁ ଗାଁ ବୁଲି ଚିକିତ୍ସା କରୁନଥିବା ଅଭିଯୋଗ ହୋଇଛି । ସବୁ କାଗଜ କଲମରେ ଗ୍ରାମ ବୁଲି ଆସିଯାଉଛି ଆମ୍ବୁଲାନ୍ସ । ଡାକ୍ତର ମାନଙ୍କ ମନମୁଖି କର୍ଯ୍ୟଯୋଙ୍ଗୁ ଏଠି ନିରୀହ ପଶୁ ମାନେ ବଳି ପଡ଼ୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଡାକ୍ତର ମାନଙ୍କ କେବେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ଏବଂ କେବେ ନିରୀହ ପଶୁ ମାନେ ସଠିକ୍ ଚିକିତ୍ସା ପାଇବେ । ତେବେ ତୁରନ୍ତ ଏହାର ପ୍ରତିଷେଧକ ବ୍ୟବସ୍ଥା କରାନଗଲେ ଏହି ରୋଗ ଚାରିଆଡ଼େ ବ୍ୟାପିବାର ସମ୍ଭାବନା ଅଧିକ ରହିଛି ।
ରିପୋର୍ଟ -:- ଆରତ କୁମାର ହୋତା