ବିନା ସୁରକ୍ଷା ବଳୟରେ ୪ ନଂ ୱାର୍ଡର ମଣିଷ ତିଆରି କାରଖାନା ।

0 218

ପୋଲସରା ,୨୯/୧୦(ପିପିଟି) :ଦେଶର ସମ୍ବିଧାନ ନିୟମ ପ୍ରକାରେ ସୁରକ୍ଷା ହେଉଛି ପ୍ରଥମ। ସିଏ ସୁରକ୍ଷା କ୍ଷେତ୍ରରେ ହେଉ କି କର୍ମ କ୍ଷେତ୍ରରେ ହେଉ କି ସ୍ବାସ୍ଥ୍ୟ କ୍ଷେତ୍ରରେ ହେଉ କି ଶିକ୍ଷା କ୍ଷେତ୍ରରେ ହେଉ। ତେବେ ଏସବୁ ଗୁଡ଼ିକ ମଧ୍ୟରେ ଶିକ୍ଷା ହେଉଛି ପ୍ରତ୍ୟେକ ରାଷ୍ଟ୍ରର ମୁଳପିଣ୍ଡ କହିଲେ କୌଣସି ଅତ୍ୟୁକ୍ତି ହେବନାହିଁ। କାରଣ ଶିକ୍ଷାର ଆଲୋକ ହିଁ ଜଣେ ମଣିଷକୁ ଚରିତ୍ରବାନ୍ ଓ ଶିକ୍ଷିତ ମନୁଷ୍ୟର ସମାଜରେ ପ୍ରତିଷ୍ଠିତ କରିବାରେ ସାହାର୍ଯ୍ୟ କରିଥାଏ। ଯଦ୍ଵାରା ମନୁଷ୍ୟ ପରବର୍ତ୍ତୀ ସମୟରେ ନିଜର ପସନ୍ଦ ଯୋଗ୍ୟ ଉପରୋକ୍ତ ଚାରିଗୋଟି କ୍ଷେତ୍ରରେ ଆଗକୁ ବଢ଼ି ନିଜର ସ୍ୱପ୍ନକୁ ସାକାର କରି ନିଜର ଭବିଷ୍ୟତ ଉଜ୍ଜଳ କରିବା ସହିତ ନିଜର ଦେଶ ନିର୍ମାଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସୁଯୋଗ ପାଇଥାଏ। କିନ୍ତୁ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଏନଏସି ଅଧିନସ୍ଥ ୪ ନଂ ୱାର୍ଡ ଶିଦ୍ଧିପୁର ଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଷୟଟି ହେଲା ଉକ୍ତ ଗ୍ରାମର ମୁଖ୍ୟ ସଡ଼କକୁ ଲାଗି ଶିଦ୍ଧିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟିଏ ଅଛି ବିଦ୍ୟାଳୟଟି ସରକାରଙ୍କ ମଞ୍ଜୁରୀପ୍ରାପ୍ତ ଅଟେ। ବିଦ୍ୟାଳୟରେ ବାଲବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ କୋଠରୀ,ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟରତ ଅଛନ୍ତି। ପ୍ରଧାନ ଶିକ୍ଷକ ଉକ୍ତଳ ପ୍ରଧାନଙ୍କ କହିବା ପ୍ରକାରେ ବର୍ତ୍ତମାନକୁ ୧୪୩ ଜଣ ବାଳକ ଓ ବାଳିକାମାନେ ପାଠ ପଢୁଛନ୍ତି। ପିଲାମାନଙ୍କ କହିବା ପ୍ରକାରେ ପାଠପଢ଼ା ଠିକ୍ ଭାବେ ଚାଲିଛି।ତେବେ ଏସବୁ ମଧ୍ୟରେ ସବୁଠାରୁ ବଡ଼ ସମସ୍ୟା ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ଗୃହର ଚାରିପଟେ ସୁରକ୍ଷା ପାଚେରୀ ନଥିବା ଯୋଗୁଁ ବାହାର ବିଭିନ୍ନ ଶବ୍ଦ,ଲୋକଙ୍କ କୋଳାହଳ, ଯାତାୟାତ କରୁଥିବା ବିଭିନ୍ନ ଯାନବାହାନ ଗୁଡ଼ିକର ହର୍ଣ୍ଣ ଓ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ପ୍ରଭାବରେ ପାଠପଢ଼ା ଚାଲିଥିବା ସମୟରେ ଗୁରୁତର ବାଧା ସୃଷ୍ଟି କରୁଛି। ବିଦ୍ୟାଳୟ ବାହାରେ ଶୌଚାଳୟ ଥିବାରୁ ପିଲାମାନେ ଯିବା ଆସିବା କରିବା ସମୟରେ ଜିବନପ୍ରତି ବିପଦ ରହିଛି। ପୁଣି ଗୋଟାଏ ମାତ୍ର ନଳକୁପରୁ ଅତ୍ୟଧିକ ଲୌହ, ତୈଳ ମିଶା ଗୋଳିଆ ପାଣିକୁ ବ୍ୟବହାର କରାଯିବା ଏଵଂ ଅପରିତ୍ୟକ୍ତ, ଅବ୍ୟବହାର ଶୌଚାଳୟର ପୁଣିଗନ୍ଧମୟ ପରିବେଶ ଦ୍ଵାରା କୋମଳମତି ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟପ୍ରତି ବିପଦ ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ। ଏତଦ ବ୍ୟତୀତ କିଛି ମିଟର ଦୂରତାରେ ଦୀର୍ଘଦିନ ହେବ ବିଦ୍ୟାଳୟର ଅବ୍ୟବହୃତ ଜରାଜୀର୍ଣ୍ଣ ଭଗ୍ନ ଅବସ୍ଥାରେ ଦଣ୍ଡାୟମାନ ହୋଇ ରହିଥିବା ଗୃହକୁ ଭଙ୍ଗା ଯାଉନଥିବାରୁ ଗୃହ ସମ୍ମୁଖରେ ଚାଲୁଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା କୁନିକୁନି ପିଲାମାନଙ୍କ ଜୀବନ ପ୍ରତି ବିପଦ ରହିଅଛି। ଏସବୁ ଗୁରୁତର ସମସ୍ୟା ଗୁଡିକକୁ ନେଇ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେମାନେ କହିଛନ୍ତି ଯେ,ଏହି ସମସ୍ୟା ଗୁଡ଼ିକ ସମେତ ସୁରକ୍ଷା ପାଚେରୀ ଓ ଆଉ ଗୋଟାଏ ଶୌଚାଳୟ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ସହଯୋଗରେ ଆମ୍ଭେମାନେ ଅନେକଥର ପୋଲସରା ବିଇଓ ଏଵଂ ବର୍ତ୍ତମାନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ ସ୍ୱରୂପ ନିବେଦନ କରିଛୁ କିନ୍ତୁ ଆଜି ପର୍ଯ୍ୟନ୍ତ ଉଭୟଙ୍କ ଠାରୁ କେବଳ ପ୍ରତିଶୃତି ମିଳିଛି ସିନା କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ଯଦ୍ଵାରା ଖୋଲାମେଲାରେ ରହିଥିବା ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର,ବ୍ୟବହାର ଜିନିଷ ସାମଗ୍ରୀ ସମେତ ପଢିବାକୁ ଆସୁଥିବା ଆମ୍ଭ ପିଲାମାନଙ୍କ ସୁରକ୍ଷାପ୍ରତି ଆମ୍ଭେମାନେ ଚିନ୍ତିତ ରହୁଅଛୁ। ଏନେଇ ଅଭିଭାବମାନଙ୍କୁ ପଚାରିବାରୁ ସେମାନେ ମଧ୍ୟ ଚିନ୍ତିତ ରହୁଛନ୍ତି ବୋଲି କହିଥିଲେ। ପିଲାମାନଙ୍କୁ ପଚାରିବାରୁ ସେମାନେ ମଧ୍ୟ ନଳକୁପର ଗୋଳିପାଣି ବ୍ୟବହାର ଅନିଛାସତ୍ବେ କରିବାକୁ ବାଧ୍ୟ ହେବା ଏଵଂ ଗୋଟାଏମାତ୍ର ଶୌଚାଳୟ ଥିବାରୁ ଅସୁବିଧା ସୃଷ୍ଟି ହେବା ଏଵଂ ପୁତିଗନ୍ଧମୟ ଅପରିଷ୍ଟାର ଶୌଚାଳୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଆଉ ବିଳମ୍ବ ନକରି ବେଳହୁଁ ସାବଧାନ ହୋଇଯିବା ନ୍ୟାୟରେ ବର୍ତ୍ତମାନ ପୋଲସରା ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀହର୍ଷବାବୁ ଖାଡଙ୍ଗା ଏଵଂ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟଚିକିତ୍ସା ଅଧିକାରୀ ଉକ୍ତ ସମସ୍ୟା ଜର୍ଜରିତ ମଣିଷ ତିଆରି କାରଖାନା ଅର୍ଥାତ୍ ବିଦ୍ୟାଳୟର ଓ ଛାତ୍ରଛାତ୍ରୀମାନଙ୍କର
ପ୍ରତ୍ୟେକ କ୍ଷେତ୍ରରେ ରହିଥିବା ସୁରକ୍ଷାକୁ ଦୃଷ୍ଟି ସମ୍ମୁଖରେ ରଖି ଉପଯୁକ୍ତ ପଦକ୍ଷେପ ମାଧ୍ୟମରେ ସ୍ଥାୟୀ ସମାଧାନ କରନ୍ତୁ। ନଚେତ୍ ଆଗକୁ ଯଦି କୌଣସି ପ୍ରକାର ଅପ୍ରତୀକର ସମସ୍ୟା ସୃଷ୍ଟି ହୁଏ ତେବେ ଏଥିପାଇଁ ଉଭୟ ଶାସକ ଓ ପ୍ରଶାସନ ଦାୟୀ ରହିବେ ବୋଲି ଉଲ୍ଲେଖ କରାଗଲେ କୌଣସି ଅପରାଧ ହେବନାହିଁ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.