ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ;ଅଞ୍ଚଳ ବୁଲିଲେ, ଭିତ୍ତିଭୂମି ପରଖିଲେ ।

0 321

ଭଞ୍ଜନଗର,୩୦/୦୫(ପିପିଟି): ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।ମାନ୍ୟବର ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର,ଅମର କୁମାର ନାୟକ, ଦୁଷ୍ମନ୍ତ କୁମାର ସ୍ବାଇଁ,ନିଳମଣି ବିଷୋୟୀ ଓ ପବିତ୍ର ସାଉଁତାଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଜଗନ୍ନାଥପ୍ରସାଦ ଓ ଭଞ୍ଜନଗର ବ୍ଲକର ବିଭିନ୍ନ ପ୍ରକଲ୍ପ ବୁଲି ଦେଖିବା ପରେ ସରକାରୀ ଯୋଜନାର ଅନୁଧ୍ୟାନ କରିବା ସହିତ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ।

କମିଟି ସଦସ୍ୟ ପ୍ରଥମେ ଜଗନ୍ନାଥପ୍ରସାଦର ଗାୟାଗଣ୍ଡାରେ ନିର୍ମାଣାଧିନ ମେଗା ପାନୀୟ ଜଳ ପ୍ରକଲ୍ପରେ ପହଞ୍ଚିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ କମିଟି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧିନ ତାରସିଂ ଓ ଗାୟାଗଣ୍ଡା ଉଚ୍ଚ କ୍ଷମତା ସଂପନ୍ନ ସେତୁ କାର୍ଯ୍ୟର ତଦାରଖ କରିଥିଲେ। ଏହା ପରେ ଭଞ୍ଜନଗର ବ୍ଲକ ତିଲିସିଂ ଗ୍ରାମରେ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ କମିଟି ସଦସ୍ୟ ମେଗା ପାନୀୟ ଜଳ ପ୍ରକଲ୍ପ କାର୍ଯ୍ୟ ର ତଦାରଖ କରିଥିଲେ। ପରେ ଜାମପଲ୍ଲୀ ଗ୍ରାମକୁ ଯାଇ ସେଠାରେ ମଧ୍ୟ ସରକାରୀ ପ୍ରକଲ୍ପ କାର୍ଯ୍ୟର ତଦାରଖ କରିଥିଲେ। ପରେ କମିଟି ସଦସ୍ୟ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଲ୍ପ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ପ୍ରକଲ୍ଫ କାର୍ଯ୍ୟ ସଠିକ ସମୟରେ ସମ୍ପୂର୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶ ଦେଇଛନ୍ତି।
କମିଟିଙ୍କ ଗସ୍ତ ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଷ୍ଟାଣ୍ଡିଂ କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ- ଜେ.କେ.ପଟ୍ଟନାୟକ)

Leave A Reply

Your email address will not be published.