ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାରହା ମୃତ; ଶିକାରୀ ଗିରଫ ।

0 239

ବେଲଗୁଣ୍ଠା,୦୮/୧୨(ପିପିଟି) : ବେଲଗୁଣ୍ଠା ସେକ୍ସନ୍ ଅନ୍ତର୍ଗତ କୁଡୁତାଇ ଗ୍ରାମରେ ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଏକ ବାରହା ମୃତ୍ୟୁ ବରଣ କରିବା ଘଟଣାରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ଏକ ବିଶ୍ବସ୍ତ ସୂତ୍ରରୁ ଶିକାରୀ ତାରରେ ଲାଗି ବାରହା ମରିବା ଖବର ସ୍ଥାନୀୟ ବନ ବିଭାଗ ପାଇବା ପରେ ଏସିଏଫ୍ ତଥା ତଦନ୍ତକାରୀ ଅଧିକାରୀ ବିବେକ ଦାସଙ୍କ ନେତୃତ୍ୱରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀଣି ସୁଜାତା ରାଣୀ ପଣ୍ଡା ଏବଂ ବେଲଗୁଣ୍ଠା ସେକ୍ସନ ବନପାଳ ଜି ଭେଙ୍କଟ ରାଓ ଦୋରା ନିଜର ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତ ବାରହାର ଶବକୁ ଜବତ କରିଥିଲେ । ତାରସିଂ ଭିଏଏସ୍ ଡାକ୍ତର ବିଭୂ କଲ୍ୟାଣ ପରିଡା ବାରହାର ଶବ ବ୍ୟବଚ୍ଛେଦ କରିଥିଲେ । ଘଟଣାର ତୁରନ୍ତ ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ଶିକାରୀ ତାରସିଂ ଥାନା ଅନ୍ତର୍ଗତ ଘାଟିପଲ୍ଲୀ ଗ୍ରାମର ପ୍ରଫୂଲ୍ଲ ନାୟକଙ୍କୁ ଗିରଫ କରାଯାଇଛି । ଏନେଇ ବନ ବିଭାଗ ତରଫରୁ କେଶ୍ ନମ୍ବର୍ 107/24-25 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ବେଳେ ସେଠାରେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ କୁ ପଠାଇ ଦିଆଯାଇଛି। ବନ ବିଭାଗର ଟିମ୍ ରେ ବନରକ୍ଷୀ ସରସ୍ଵତୀ ମଲ୍ଲିକ୍,ସୀମାଞ୍ଚଳ ମିଶ୍ର ଏବଂ ଫରେଷ୍ଟ୍ ସ୍କ୍ଵାଡ୍ ସୁଶାନ୍ତ ମଲ୍ଲିକ ସାମିଲ୍ ଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.