ବୋଲଗଡ଼,୦୬/୧୧(ପିପିଟି) : ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ଧଳଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ପ୍ରଥମ ରୁ ତୃତୀୟ ଶ୍ରେଣୀ ବିଦ୍ୟାର୍ଥି ଶିଶୁବର୍ଗ, ଚତୁର୍ଥ ରୁ ପଞ୍ଚମ ଉପକନିଷ୍ଠ , ଷଷ୍ଠ ରୁ ଅଷ୍ଟମ କନିଷ୍ଠ , ନବମ ଓ ଦଶମ ବିଦ୍ୟାର୍ଥି ବରିଷ୍ଠ ବିଭାଗରେ ପ୍ରକଳ୍ପ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମୁଦାୟ ୧୨୦ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବୋଲଗଡ଼ ଭଏସ ଅଫ ମିଡିଆ ର ସଭାପତି ନିରଞ୍ଜନ ନାୟକଙ୍କ କରକମଳରେ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା ମୁଖ୍ୟ ଅତିଥି, ପିପିଟି ନ୍ୟୁଜ୍ ର ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ବକ୍ତା ଏବଂ ଦର୍ଶନ ସମ୍ବାଦ ପତ୍ରର ଖବର ଦାତା ନିରଞ୍ଜନ ସେଠୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି
ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରିବା ପରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପ୍ରକଳ୍ପର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଚାରକ ରୂପେ ଶିକ୍ଷକ ଦୀପ୍ତିରଞ୍ଜନ ଦାସ, ଅଂଶୁମାନ ଧଳ, ବିଶ୍ୱଜିତ୍ ସରୋଜ କୁମାର , ବିଭୁପ୍ରସାଦ ମହାପାତ୍ର, ଦୀପକ କୁମାର ବେହେରା ଏବଂ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର, ନମିତା ସାହୁ ଏବଂ ସ୍ରୋତାଲିନୀ ସାହୁ ବିଚାରକ ରୂପେ ଚାରି ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। ଆସନ୍ତା ୮ ତାରିଖରେ ହେବାକୁଥିବା ବ୍ଳକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ବରିଷ୍ଠ ବିଭାଗର ଓମ ପ୍ରକାଶ ନାୟକଙ୍କର ବୀ ଭିକ୍ଟୋରିଂ ଟେକ୍ନୋଲୋଜି, ଅନନ୍ୟା ଅପରୂପା ଦାସଙ୍କର ୱାଟର ହ୍ୟାସିନ୍ଥ, କନିଷ୍ଠ ବିଭାଗ ପ୍ରଥମ କୃତୀ ପ୍ରତିଯୋଗୀ ଶୁଭଙ୍କର ପୃଷ୍ଟିଙ୍କର ରିସୋର୍ସ ମ୍ୟାନେଜମେଣ୍ଟ ଏବଂ ଉପକନିଷ୍ଠ ବିଭାଗର ପ୍ରଥମ କୃତୀ ପ୍ରତିଯୋଗୀ ହିମାଂଶୁ ଶେଖର ସାହୁଙ୍କ ଦ୍ଵାରା ନିର୍ମିତ ୱେଷ୍ଟ ୱାଟର ପ୍ୟୁରିଫିକେସନ ପ୍ରକଳ୍ପ ଚୟନ କରଯାଇଥିଲା। ସମସ୍ତ ବିଭାଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରାଗଲା। ଛାତ୍ରୀମାନେ ବିଜ୍ଞାନ ସମ୍ବନ୍ଧୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସ୍ୱର୍ଣଲତା ପ୍ରଧାନ ଏବଂ ସୌଦାମିନୀ ସୁବୁଦ୍ଧିଙ୍କ ସମେତ ସମ୍ବିତ କେଦାର କର , ଆନନ୍ଦ ସେନାପତି ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସୈବାଳିକା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)