ବିଞ୍ଚଣାରେ ପଞ୍ଚଶମ୍ଭୁ ମହାମିଳନ ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ।

0 181

ବେଲଗୁଣ୍ଠା, ୦୩/୦୪(ପିପିଟି ):ଆଜି ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ପଞ୍ଚଶମ୍ଭୁ ଏବଂ ପାଞ୍ଚ କାଳୀଙ୍କ ମହାମିଳନ । ଏହି ମହାମିଳନରେ ଗୋବରା, ଡେଙ୍ଗାପଦର,ବେଲଗୁଣ୍ଠା-୧,ବେଲଗୁଣ୍ଠା-୨ ଏବଂ ଗାମୁଣ୍ଡି ଗ୍ରାମର ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ଆଜି ସକାଳ ସାତ ଘଣ୍ଟା ସମୟରେ ସଂକୀର୍ତ୍ତନ ମଣ୍ଡଳୀ,ଯାତ୍ରା କମିଟି ଏବଂ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ସମସ୍ତ ପାଞ୍ଚୋଟି ଦଣ୍ଡ ଦଳକୁ ଫୁଲ ଚନ୍ଦନ ଦେଇ ବରଣ କରିଥିଲେ । ସମସ୍ତ ଦଣ୍ଡଦଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ସ୍ଥଳରେ ଠାକୁରଙ୍କର ସକାଳ ନୀତିକାନ୍ତି ସମାପ୍ତ କରିବା ପରେ ସକାଳ ୧୦:୪୫ ଠାରୁ ୦୧:୧୫ ପର୍ଯ୍ଯନ୍ତ ମୁଖ୍ୟ ସଡ଼କ,ବିଷୋୟୀ ସାହି, ଧୋବା ସାହି, ମନ୍ଦିର ପାଖ ଏବଂ ମନ୍ଦିର ସାମ୍ନାରେ ଧୂଳି ଦଣ୍ଡ ପରିବେଷଣ କରିଥିଲେ । ପରେ ଅପରାହ୍ଣ ୧:୧୫ ଠାରୁ ୩:୦୦ ପର୍ଯ୍ୟନ୍ତ ଗ୍ରାମର ମାଆ ସନ୍ତୋଷୀ ମନ୍ଦିର ନିକଟରେ ଥିବା ପୋଖରୀରେ ପାଣିଦଣ୍ଡ ନୀତି ସମାପନ କରିଥିଲେ । ପୋଖରୀରୁ ଫେରି ଗ୍ରାମ ପରିକ୍ରମା କରିବା ପରେ ପଞ୍ଚ ଶମ୍ଭୁ ମହା ମିଳନ ପାଇଁ ଉଦ୍ଦିଷ୍ଟ ସ୍ଥାନ ସରସ୍ଵତୀ ମଡ଼େଲ୍ ସ୍କୁଲ୍ ପରିସରରେ ସମସ୍ତ ଦଣ୍ଡ ଦଳ ପହଞ୍ଚିବା ପରେ ଅପରାହ୍ଣ ୦୫:୩୦ ସମୟରେ ପଞ୍ଚ ଶମ୍ଭୁ ଏବଂ ପଞ୍ଚ କାଳୀଙ୍କର ମହା ମିଳନ ଅନୁଷ୍ଠିତ ହୋଇଥିଲା । ଆଜି ଅନୁକୂଳ ପାଗ ଥିବାରୁ ପଞ୍ଚ ଶମ୍ଭୁଙ୍କ ମହା ମିଳନ ଦେଖିବା ପାଇଁ ବିଞ୍ଚଣା ଗ୍ରାମରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ବିଞ୍ଚଣା ଗ୍ରାମ ସମେତ ମୁଖ୍ୟ ସଡ଼କ ଏବଂ ସରସ୍ଵତୀ ମଡ଼େଲ୍ ସ୍କୁଲ୍ ପରିସର ଲୋକାରଣ୍ୟ ହୋଇ ଉଠିଥିଲା । ପଞ୍ଚଶମ୍ଭୁ ମହା ମିଳନ ପରେ ସନ୍ଧ୍ୟା ସାତ ଘଣ୍ଟା ସମୟରେ ଠାକୁରଙ୍କର ଆଳତି ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କର ସନ୍ଧ୍ୟା ଆଳତି ଦର୍ଶନ କରିଥିଲେ । ଯାତ୍ରା କମିଟିର ସୂଚନା ପ୍ରକାରେ ରାତ୍ର ଏଗାର ଘଣ୍ଟା ସମୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ମଧ୍ୟରାତ୍ର ବାର ଘଣ୍ଟା ସମୟରେ ସମସ୍ତ ଦଣ୍ଡଦଳ ନିର୍ଦ୍ଧାରିତ ସ୍ଥାନରେ ପାରମ୍ପରିକ ଭାରତଲୀଳା ନାଟକ ପରିବେଷଣ କରିବେ । ଶନିବାର ସକାଳ ଛଅ ଘଣ୍ଟା ସମୟରେ ନାଟକ ଉଦଯାପିତ ହେବ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର,ସ୍ଵଚ୍ଛତା ସହିତ ସୂଚନା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ଶୃଙ୍ଖଳା ରକ୍ଷା,ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଦିଗରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ସମ୍ପୂର୍ଣ୍ଣ ସଜାଗ ଥିଲେ । ଗ୍ରାମର ଯୁବ ସ୍ଵେଚ୍ଛାସେବୀ,ଯାତ୍ରା କମିଟି ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.