ବୋଲଗଡ଼,୧୯/୦୨(ପିପିଟି): ବୋଲଗଡ଼ ସଦର ବ୍ଲକ ମୁଖ୍ୟାଳୟସ୍ଥିତ ସ୍ଥାନୀୟ ରଜ ପଡିଆ ଠାରେ ବରିଷ୍ଠ କଂଗ୍ରେସ ନେତା ଓ କଂଗ୍ରେସ କର୍ମୀମାନେ ବିଜେପି ଓ ବିଜେଡି ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଇଛନ୍ତି।ସୂଚନା ଏହି କି ଯେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ଦୀର୍ଘ ୨୫ବର୍ଷ ହେବ ଅଘୋଷିତ ଭାବେ ଏକାଠି ରହି କେନ୍ଦ୍ର ଓ ରାଜ୍ୟକୁ ଲୁଟି ଥିବା ସମ୍ପର୍କରେ କଂଗ୍ରେସ ନେତା ଦୃଢୋକ୍ତି ପ୍ରକାଶ କରିଥିଲେ।କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କର ପ୍ରିୟାପ୍ରୀତି ତୋଷଣ ନୀତିକୁ ନେଇ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ଏଆଇସିସି ସଭ୍ୟ ତାରା ପ୍ରସାଦ ପଟ୍ଟନାୟକ ବର୍ଷିଥିଲେ ଓ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ସାଧାରଣରେ ପରାମର୍ଶ ଦେଇଥିଲେ।ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ଶ୍ରୀ ପଟ୍ଟନାୟକଙ୍କ ବଳିଷ୍ଠ ଉଦ୍ୟମରେ ବିଜେପି ଓ ବିଜେଡି ଉଭୟଙ୍କୁ ବର,କନ୍ୟା ବେଶରେ ସଜ୍ଜିତ କରି ଏକ ଶୋଭା ଯାତ୍ରାରେ ବରଣ କରାଯାଇ ନିର୍ଦ୍ଧାରିତ ନିର୍ମିତ କରାଯାଇଥିବା ବେଦୀରେ ବସି ବ୍ରାହ୍ମଣ ପୁରୁହିତଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମାପନ ସହ ମାଲ୍ୟାର୍ପଣ ଅଦଳ ବଦଳ କରାଯାଇ ବିଜେପି ବିଜେଡି ନବ ଦମ୍ପତିଙ୍କୁ ମେଲାଣି ଦିଆଯାଇଥିଲା।ଏହି ବିବାହ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଗଦାଧର ଚମ୍ପତି,ବ୍ଲକ ଯୁବକଂଗ୍ରେସ ଉପସଭାପତି ନିରଞ୍ଜନ ସାମନ୍ତରାୟ,ଛବି ମହାନ୍ତି,ବୁଢା ହରିଚନ୍ଦନ, ପ୍ରମୁଖ କଂଗ୍ରେସ କର୍ମୀମାନେ ବିଜେପି ଓ ବିଜେଡି ବିବାହ କାର୍ଯ୍ୟରେ ଯୋଗଦେଇ ବିଶେଷ ସହଯୋଗ କରିଥିଲେ।ଏହି ବିବାହ କାର୍ଯ୍ୟରେ ଅନେକ ମହିଳା ଯୋଗଦେଇ ବର ଓ କନ୍ୟା ଉଭୟଙ୍କୁ ଆଶୀର୍ବାଦ କରିଥିଲେ।ପରିଶେଷରେ ଉଭୟ ପକ୍ଷର କର୍ତ୍ତା ତଥା କଂଗ୍ରେସ କର୍ମୀ ମାନଙ୍କ ନିମନ୍ତେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)