ବିଜେପିକୁ ବିଚଳିତ କରୁଛି ଡ୍ୟାନିଙ୍କ ରଣନୀତି ।

0 251

ଯାଜପୁର,୦୩/୧୧(ପିପିଟି):୨୦୨୪ ନିର୍ବାଚନରେ ସୁକିନ୍ଦାରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ (ଟୁଟୁ) ବିଜୟୀ ହୋଇ ମନ୍ତ୍ରୀ ବି ହୋଇଛନ୍ତି । ନିର୍ବାଚନକୁ ୫ ମାସ ବିତିବା ପରେ ସୁକିନ୍ଦାରେ ବିଜେପି ବିକାଶ ଧାରାରୁ ଦୁରେଇ ବିବାଦ ଧାରାକୁ ଆପଣେଇଛି । ସୁକିନ୍ଦା ବିକାଶର ଧାରାରେ ବ୍ରେକ ଲାଗି ଯାଇଛି । ବିବାଦ, ଆକ୍ରୋଶ ଓ ହିଂସାର ଧାରା ବିଜେପି ଦଳକୁ ବିବାଦର ଭଉଁରୀ ଭିତରକୁ ଠେଲି ଦେଇଛି । ବିବାଦରୁ ବାହାରି ଆସିବାକୁ ଦଳର ନେତା ଉଦ୍ୟମ କରୁନଥିଲା ବେଳେ ଦଳୀୟ କର୍ମୀ କିନ୍ତୁ ଉତ୍ସାହିତ ହୋଇ ଦିନକୁ ଦିନ ସୁକିନ୍ଦାକୁ ଅଶାନ୍ତ କରି ଦେଲେଣି । ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସୁକିନ୍ଦା ଭୋଟର ନୂଆ ଆଶା କରି ପରିବର୍ତ୍ତନ କରିବାକୁ ଯାଇ ଆଶଙ୍କାରେ ପଡି ସାରିଛନ୍ତି । ଫଳରେ ଦିନକୁ ଦିନ ବିଜେପି ଲୋକପ୍ରିୟତା ହରାଇ ଚାଲିଛି । ଦଳର ଆଦର୍ଶ ବିପରୀତ କାର୍ଯ୍ୟ ଦଳକୁ ନିମ୍ନଗାମୀ କରୁଥିଲା ବେଳେ ଅନୁଭବୀ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଚକ୍ରବ୍ୟୁହକୁ ଭେଦିବା ଏବେ ବିଜେପି ମୁଣ୍ଡ ବ୍ୟଥାର କାରଣ ହୋଇଛି । ନିଜ କର୍ମୀଙ୍କ ଆତଙ୍କ ରାଜ ସହିତ ଡ୍ୟାନିଙ୍କ ରାଜନୀତି ଚକ୍ରବ୍ୟୁହ ମନ୍ତ୍ରୀ ଟୁଟୁଙ୍କ ରକ୍ତଚାପ ବଢ଼ାଇବା ପାଇଁ ଯଥେଷ୍ଟ ହୋଇଛି । ନିର୍ବାଚନରେ ବିଜେଡି ପରାଜିତ ହୋଇ ଶାସନ କ୍ଷମତାରୁ ଯିବା ଓ ଡ୍ୟାନି ହାରିଯିବା ଉଭୟକୁ ନେଇ ସୁକିନ୍ଦା ବିଜେପି ବେଶ ଉତ୍ସାହିତ ହୋଇ ପଡ଼ିଥିଲା । ତା ସାଙ୍ଗକୁ ଟୁଟୁ ମନ୍ତ୍ରୀ ହେବା ମଧ୍ୟ ଦଳର ଉତ୍ସାହକୁ ଦ୍ବିଗୁଣିତ କରିଥିଲା । ବିଜେପି ଧରି ନେଇଥିଲା ପରାଜୟ ପରେ ଡ୍ୟାନି ସୁକିନ୍ଦାରୁ ଦୁରେଇ ଯିବେ । ହେଲେ ହେଲା ଓଲଟା । ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ନିଜ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦେଇ ପାରୁନଥିବା ଡ୍ୟାନି ସୁକିନ୍ଦାରୁ ଦୁରେଇ ଯିବେ କଣ ସେ ଭୁବନେଶ୍ୱରରୁ ଦୁରେଇ ଯାଇ ସୁକିନ୍ଦାରେ ସର୍ବାଧିକ ସମୟ ଦେଉଛନ୍ତି । ନିଜ ଅଞ୍ଚଳର ବିଜେପି କର୍ମୀ ବିପଦରେ ପଡିଲେ ମଧ୍ୟ ବିନା ଡାକରାରେ ପହଞ୍ଚି ଯାଉଛନ୍ତି ସେମାନଙ୍କ ନିକଟରେ । ବିଜେପି କର୍ମୀଙ୍କ ଭଲ ମନ୍ଦ ଖବର ବିଜେପି ନେତାଙ୍କ ନିକଟରେ ପହଂଚିବା ପୂର୍ବରୁ ଡ୍ୟାନିଙ୍କ ନିକଟରେ କେମିତି ପହଞ୍ଚୁଛି ଓ ଡ୍ୟାନି କିଭଳି ସେଠାକୁ ଯାଇ ସାମିଲ ହେଉଛନ୍ତି ତାହା ବିଜେପିକୁ ଚିନ୍ତିତ କରିଛି । ଜଣେ ସରଳ, ମେଳାପି ତଥା ଖୋଲା ହୃଦୟର ଯୁବ ନେତା ଭାବେ ଡ୍ୟାନି କେବଳ ସୁକିନ୍ଦାରେ ନୁହେଁ ପୁରା ରାଜ୍ୟରେ ପରିଚିତ । ରାଜନୀତିରେ ବିଜୟ ଓ ପରାଜୟ ଦୁଇଟି ଦିଗ । କାଲି ବିଜୟ ଥିଲା ଆଜି ପରାଜୟ ଅଛି କାଲି ନିଶ୍ଚିତ ବିଜୟ ଆସିବ,ଏହା ହେଉଛି ଡ୍ୟାନିଙ୍କ ରାଜନୀତିର ମୂଳ ମନ୍ତ୍ର । ବିଜୟ ପରାଜୟ ଭୁଲି ଲୋକଙ୍କ ସେବା କରିବା କୁ ସେ ପ୍ରାଥମିକତା ଦେଉଛନ୍ତି । ଯାହା ଆଜି ପୁଣି ତାଙ୍କ ଲୋକପ୍ରିୟତାକୁ ବଢ଼ାଇ ଚାଲିଛି । ଡ୍ୟାନିଙ୍କ କାର୍ଯ୍ୟ ଧାରା ଦେଖି ସୁକିନ୍ଦାବାସୀ ଏବେ ନିଜର ପ୍ରିୟ ନେତାଙ୍କ ପ୍ରତି ନିର୍ବାଚନରେ ଅନ୍ୟାୟ ହୋଇଥିବା ମର୍ମେ ମର୍ମେ ଅନୁଭବ କଲେଣି । ଗତ ନିର୍ବାଚନରେ ନିର୍ବାଚନ ରଣଭୂମିରେ ପରାଜିତ ହୋଇ ଡ୍ୟାନି କିନ୍ତୁ ସୁକିନ୍ଦାବାସୀଙ୍କ ମନଭୂମିରେ ଖେଳ ଆରମ୍ଭ କରିଛନ୍ତି । ଆଉ ସୁକିନ୍ଦାବାସୀଙ୍କ ମନ ଜିତି ଚାଲିଛନ୍ତି । ଗୋଟିଏ ପଟେ ବିଜେପି ହିଂସା, ଆକ୍ରୋଶ, ଆକ୍ରମଣ, ରକ୍ତପାତ ଉପରେ ଭରସା କରି ଆତଙ୍କ ସୃଷ୍ଟି କରିଚାଲିଥିଲା ବେଳେ ଡ୍ୟାନି କିନ୍ତୁ ସ୍ନେହ, ଶ୍ରଦ୍ଧା ଓ ମମତାର ଖେଳ ଖେଳୁଛନ୍ତି । ଆଉ ଡ୍ୟାନିଙ୍କ ଖେଳକୁ ବେଶ ଗ୍ରହଣ କରୁଛନ୍ତି ସୁକିନ୍ଦାବାସୀ ଖୋଲା ହୃଦୟରେ । ସୁକିନ୍ଦାବାସୀଙ୍କ ନିକଟରେ ଡ୍ୟାନିଙ୍କ ଗ୍ରହଣୀୟତା ଆଗାମି ଦିନରେ ବିଜେପିରେ ଗ୍ରହଣ ଲଗାଇ ଦେବାର ଆଶଙ୍କା ସୃଷ୍ଟି କରିଛି ।

Leave A Reply

Your email address will not be published.