ହରଭଙ୍ଗା,୨୬/୦୯:ହରଭଙ୍ଗା ବ୍ଲକ ପୁରୁଣାକଟକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଗୁରୁବାର ସନ୍ଧ୍ୟାରେ ବିଜୁ ଜନତାଦଳ ହରଭଙ୍ଗା ବ୍ଲକ ସାଙ୍ଗଠନିକ ବୈଠକ ବରିଷ୍ଠ ଓକିଲ ରବିଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତ, ବୌଦ୍ଧ ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ କର୍ଣ୍ଣ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ବିସିସିବି ସଭାପତି ଅରୁଣ କୁମାର ପ୍ରଧାନ, ସୀତାରାମ ଅଗ୍ରୱାଲ, ଯୁବନେତା ଅବକାଶ ସାହୁ ପ୍ରମୁଖ ବକ୍ତବ୍ୟ ରଖି ସମ୍ପ୍ରତି ରାଜ୍ୟର ଡବଲ ଇଞ୍ଜିନ ସରକାର ଶହେ ଦିନର ବିକାଶର ଗାଥା ଗାଉଥିବା ବେଳେ କୌଣସି ଜାଗାରେ ମାଟିମୁଠାଟିଏ ନ ପକେଇ ଜିଲ୍ଲାବାସୀଙ୍କୁ ଲୁଟିବା ଆରମ୍ଭ କରିଛନ୍ତି।ବ୍ଲକ ଠାରୁ ଆରମ୍ଭ କରି ଲାଇନ ଡିପାର୍ଟମେଣ୍ଟ ସବୁଠି ପିସି ନଦେଲେ ଫାଇଲ ଘୁଞ୍ଚୁନି । ସ୍ୱାସ୍ଥ୍ୟସେବା ଶିକ୍ଷା ବ୍ୟବସ୍ଥା ସବୁକିଛି ବିପର୍ଯ୍ୟସ୍ତ । ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ଠକିବା ଆରମ୍ଭ କରିଛି ଡବଲ ଇଞ୍ଜିନ ସରକାର । ଏ ଯାବତ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ମୋଜା ଯୋଗାଇବାରେ ଅସମର୍ଥ ହୋଇଛି ଡବଲ ଇଞ୍ଜିନ ସରକାର । ୩ଶହ ୟୁନିଟ ବିଜୁଳି ଦେବ କହି ଲୋକଙ୍କୁ ପ୍ରତାରିତ କରିଛି ଓଡ଼ିଶାବାସୀ ତଥା ବୌଦ୍ଧ ବାସୀଙ୍କୁ । ଏହାର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ହରଭଙ୍ଗା ବ୍ଲକରେ ଆସନ୍ତା ଅକ୍ଟୋବର ୦୭ ତାରିଖ ତିଲେଶ୍ୱର ଠାରୁ ପୁରୁଣାକଟକ ଦେଇ ଚାରିଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିବିକ୍ରମ ମହାକୁଡ଼, ସୁଶାନ୍ତ ପ୍ରଧାନ, ସରପଞ୍ଚ ଅଶୋକ ସେଠି,ଶ୍ରୀବନ୍ତ ମେହେର, ନିହାର ଘୋଷ, ନିକୁଞ୍ଜ ବେହେରା, ଅଶୋକ ମେଣ୍ଡୁଳି, ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ କହଁର ଜ୍ୟୋତିରଞ୍ଜନ ସାହୁ, ସଞ୍ଜୟ ଦେହୁରୀ, ପ୍ରଦୀପ କୁମାର ସାହୁ, ସୁଶୀଲ ଦେହୁରୀ, ଜ୍ୟୋତିର୍ମୟ ଦାସ ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ଯକ୍ଷ ଅକ୍ରୁର ସେଠି, ପୂର୍ବତନ ବ୍ଲକ ଉପାଧକ୍ଷ ପଙ୍କଜ ସାହୁ, ସଂଜିତ ବାରିକ, ରଜତ ଦାସ ପ୍ରମୁଖଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ୍ବ କର୍ମୀ ଆଜିର ବୈଠକରେ ଯୋଗଦେଇଥିଲେ ।