ବିଏମ୍ ସିର ପ୍ରଥମ ପଥ ଉତ୍ସବରେ ଡିଜେର ତାଳେ ତାଳେ ଝୁମିଲେ ଦର୍ଶକ ।

0 267

ଭୁବନେଶ୍ୱର,୦୪/୦୧(ପିପୁଟି): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆୟୋଜିତ ପ୍ରଥମ ପଥ ଉତ୍ସବରେ ଝୁମିଲେ ଦର୍ଶକ, ଗୀତ ନାଚ ସହ ପପୁ ପମ୍ପପମଙ୍କ କମେଡି ବିମୋହିତ କଲା ଦେଖଣାହାରୀଙ୍କୁ । ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ମଧ୍ୟରେ ମେଲିଥିଲା ମନୋରଞ୍ଜନର ପସରା । ଆଉ ଶୀତୁଆ ସକାଳରେ ଏହାର ମଜ୍ଜା ଲୁଟିଥିଲେ ହଜାର ହଜାର ଦର୍ଶକ। ପ୍ରବଳ କୁହୁଡି ଓ ଶୀତ ସତ୍ୱେ ଦର୍ଶକଙ୍କର ସୁଅ ଛୁଟିଥିଲା ।

ପପୁ ପମ୍ପପମଙ୍କ ମଦୁଆ କମେଡି ହସର ଏକ ଲମ୍ବା ଲହରୀ ସଷ୍ଟି କରିଥିଲା । ସେପଟେ ରାମ ମନ୍ଦିର ଛକ ନିକଟରେ ଥିବା ଦ୍ୱିତୀୟ ମଞ୍ଚର ଡିଜେରେ ମତୁଆଲ୍ଲା ହୋଇଉଠିଥିଲେ ଯୁବଗୋଷ୍ଠୀ । ଶହ ଶହ ଯୁବକ ଯୁବତୀ ଡିଜେର ତାଳେ ତାଳେ ଧୁମ୍ ମଚାଇଥିଲେ ।
ଆଜି ସକାଳୁ ସକାଳୁ ଭୁବନେଶ୍ୱରକୁ ପ୍ରବଳ ଶୀତ ଓ କୁହୁଡି ପୁରା ଆଚ୍ଛାଦନ କରି ରଖିଥିଲା । ସକାଳ ୬ ଟାରୁ ଗର୍ଜନ କରିଥିଲା ବିଏମ୍ ସି ପକ୍ଷରୁ ଆୟୋଜିତ ପଥ ଉତ୍ସବର ବକ୍ସ ସାଉଣ୍ଡ । ବକ୍ସ ସାଉଣ୍ଡ ଯେତିକି ଯେତିକି ଗର୍ଜନ କରୁଥାଏ, ଦର୍ଶକଙ୍କ ଭିଡ ସେତିକି ସେତିକି ଜମୁଥାଏ । ସାଢେ ୬ ଟା ବେଳକୁ ଦର୍ଶକଙ୍କ ଭିଡ ଜମି ଆସିଥିଲା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମାନ୍ୟବର ଅର୍ଥ,ଅବକାରୀ ଓ ପୁତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, କମିଶନର ଚଞ୍ଚଳ ରାଣା, ସାଂସ୍କୃତି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହଙ୍କ ସମେତ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟରବୃନ୍ଦ ୨୦୨୬ ର ପ୍ରଥମ ରବିବାରେ ପ୍ରଥମ ପଥ ଉତ୍ସବକୁ ମାଷ୍ଟର କ୍ୟାଣ୍ଟିନସ୍ଥିତ ପ୍ରଥମ ମଞ୍ଚରୁ ଉଦଘାଟନ କରି ଏକ ସବୁଜ ବାର୍ତ୍ତାଦେଇଥଲେ । ମଞ୍ଚ ଉପରେ ରଖାଯାଇଥିବା ଗଛରେ ପାଣି ଦେଇ ଅତିଥିମାନେ ସବୁଜ ଭୁବନେଶ୍ୱରର ବାର୍ତ୍ତା ଦେଇଥିଲେ ।
ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଥିଲା ୨୦୨୫-୨୬ ର ପ୍ରଥମ ପଥ ଉତ୍ସବ । ଅତିଥିମାନଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଥିଲା ପଥ ଉତ୍ସବର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ ଉପସ୍ଥିତ ତର୍ଶକ ଓ ଅତିଥିମାନଙ୍କ ମନମୋହିଥିଲା ।

ପରେ ମଞ୍ଚ ଉପରକୁ ଆସିଥିଲେ କମେଡି କିଙ୍ଗ୍ ପପୁ ପମ୍ପପମ୍ । ସେ ବିଭିନ୍ନ ପ୍ରକାର କମେଡି କରିବା ସହ ଦୁଇଟି ଗୀତ ମଧ୍ୟ ଗାଇଥିଲେ । ତାଙ୍କର ମଦୁଆ ଉପାଖ୍ୟାନ କମେଡିରେ ଦର୍ଶକ ହସି ହସି ଲୋଟିପଡିଥିଲେ । ମଞ୍ଚକୁ ଆସିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ତାଙ୍କ ଟିମ୍ । ଗୋଟିକ ପରେ ସେ ଗୋଟିଏ ଗୀତ ଗାଇ ଚାଲିଥାନ୍ତି । ମାତ୍ର ଦର୍ଶକଙ୍କର ଦାବି ଆଉ ଗୋଟିଏ ଆଉ ଗୋଟିଏ । ତାଙ୍କ ଦ୍ୱାରା ପରିବେଶିତ ଗୀତ ଡୁଙ୍ଗୁ ଥିଲି,ମୁଁ ତେଲଗୁ ସୁନ୍ଦରୀ,ପାଣି ମାରିଗଲା ଝାଇଁ, ମୁଁ ଶାଶୁଘର ଚାଲିଯିବି,ଏପରିକି ରଙ୍ଗବତୀ ଗୀତରେ ଉପସ୍ଥିତ ଦର୍ଶକ ଧୁମ୍ ନାଚିଥିଲେ । ଆଉ ଏହି ଦୃଶ୍ୟକୁ ନିଜ ନିଜ କ୍ୟାମେରା ଓ ମୋବାଇରେ ବାନ୍ଧି ରଖିବାକୁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଖାଲି ବାନ୍ଧି ରଖିନଥିଲେ, ଅଧିକାଂଶ ରିଲ୍ ପ୍ରସ୍ତୁତ କରି ନିଜ ନିଜ ହ୍ୱାଟ୍ସ ଆପ୍,ଫେସ୍ ବୁକ୍, ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିବାକୁ ମଧ୍ୟ ଭୁଲି ନଥିଲେ ।

ହିଲିୟମ ବେଲୁନ୍ ଉଡି ସ୍ଵଚ୍ଛ ସର୍ବେକ୍ଷଣ ଏବଂ ପଥ ଉତ୍ସବର ସଚେତନତା ବାର୍ତ୍ତା ଦିଆଯାଇଥିଲା । ଆଜିର ଏହି ସୁସ୍ଥ ପରିବେଶକୁ ଆହୁରି ମନଛୁଆଁ କରିବାର ଉପାଦାନ ମଧ୍ୟରେ, ପିଲାଙ୍କ ଖେଳ ବା କିଡ୍ ସ ଜୋନ୍,ଟଲ୍ ମ୍ୟାନ୍,ଚାର୍ଲି ଚାପ୍ଲିନଙ୍କ ମଡେଲ ଖୁବ୍ ମନମୁଗ୍ଧକର ଲାଭ କରିଛି । ଟ୍ରି ମ୍ୟାନ୍ ଅବଧାରଣା ଖୁବ୍ ସମୟ ଉପଯୋଗୀ ବୋଲି କହିଛନ୍ତି ଅନେକ ଦର୍ଶକ ।

ବିଭିନ୍ନ ଯୋଗ ଅଭ୍ୟାସ ଏଠାକାର ଦର୍ଶକଙ୍କୁ ସୁସ୍ଥ ବାର୍ତ୍ତା ବାଣ୍ଟିଥିଲେ । ବିଶେଷ କରି ମୋଟର ବାଇକ୍ ରେ କଳା ନିପୁଣତାର ଦୃଶ୍ୟମାନ ଉପଭୋଗ୍ୟ ଥିଲା । ପାରମ୍ପରିକ ବାଘ ନାଚ,ମେଢ଼ ନାଚ,ଓଡ଼ିଶୀ ଇତ୍ୟାଦି ସ୍ଵତନ୍ତ୍ର ଥିଲା ।

ସ୍ୱାଗତ ଅଭିଭାଷଣ କମିଶନର ଦେଇଥିବା ବେଳେ ଭୁବନେଶ୍ୱରକୁ ଦେଶର ଏକ ନମ୍ବର ସ୍ୱଚ୍ଛ ଓ ସବୁଜ ସହର କରିବା ପାଇଁ ଭୁବନେଶ୍ୱରବାସିଙ୍କୁ ଅନୁରୋଧ କରିଛନ୍ତି ମେୟର ।

ସେପଟେ ରାମନ୍ଦିର ଛକ ନିକଟରେ ଥିବା ଦ୍ୱିତୀୟ ମଞ୍ଚରେ ଚାଲିଥିଲା ଡିଜେ । ଡିଜେର ତାଳେ ତାଳେ ପିଲାଠାରୁ ବଡ ପର୍ଯ୍ୟନ୍ତ ଯୁବକ, ଯୁବତୀ ଏପରିକି ବୟସ୍କ ବ୍ୟକ୍ତିମାନେ ମଧ୍ୟ କିଛି ସମୟ ପାଇଁ ନିଜକୁ ହଜାଇ ଦେଇଥିଲେ । ଭିଡ ଜମିଥିଲା ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟର ଦୁଇ ଦୁଇଟି ମଞ୍ଚରେ । ନିଜ ନିଜ ମଧ୍ୟରେ ଥିବା କଳାକୁ ପ୍ରଦର୍ଶନ କରିବା ପାଇଁ ପିଲାମାନଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକେ ଏଠାରେ ଭିଡ ଜମାଇଥିଲେ । ପ୍ରାୟ ୬୦ ରୁ ଉର୍ଦ୍ଧ୍ବ କଳାକାର ଏଥିରେ ନିଜର କୃତି ପ୍ରଦର୍ଶନ କରିଛନ୍ତି । ସେପଟେ ଫେସ୍ ପେଣ୍ଟିଂ ପାଇଁ ମଧ୍ୟ ଲମ୍ବା ଲାଇନ ଲାଗିଥିଲା । ବେଶି ଭିଡ ଜମିଥିଲା ରଙ୍ଗୋଲିରେ । ସ୍କେଟିଂରେ ପିଲାମାନେ ବିଭିନ୍ନ କ୍ରିଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା ବେଳେ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଜୁମ୍ବା । ସକାଳୁ ସକାଳୁ ଶହ ଶହ ଲୋକ ଯୋଗ କରିଥିବା ବେଳେ ପିଲାମାନେ ଭରପୁର ମଜ୍ଜା ଉଠାଇଥିଲେ କିଡ୍ସ କିଙ୍ଗଡମରୁ । ସକାଳୁ ସକାଳୁ ପ୍ରବଳ ଶୀତ ହେଉଥିଲେ ମଧ୍ୟ ପଥ ଉତ୍ସବରେ ଉପସ୍ଥିତ କୌଣସି ବ୍ୟକ୍ତିଙ୍କୁ ଆଦୌ ଶୀତ ଅନୁଭୁତ ହେଉନଥିଲା । ଆଉ ଫୁଡ୍ କୋର୍ଟରେ ସକାଳୁ ସକାଳୁ ଗରମଗରମା ପିଠା, ମିଠା ଆଦି ଖାଦ୍ୟର ମଜ୍ଜା ନେଇଥିଲେ ଦେଖଣାହାରୀ । ଟିମ୍ ବି ଏମ୍ ସି ର ଖାଦ୍ୟ ପରଖିବା ଦଳ ନିଜର ଡ୍ୟୁଟି ବଜାୟ ରଖିଥିଲେ ।

ଏହା ବ୍ୟତୀତ ପଥପ୍ରାନ୍ତ ନୃତ୍ୟ, ପାରମ୍ପାରିକ ନୃତ୍ୟର କଳାକାରଙ୍କ ସହ ସେଲ୍ଫି ନେବାକୁ ଭୁଲି ନଥିଲେ ଦେଖଣାହାରୀ । ମଞ୍ଚ ଓ ମଞ୍ଚ ବାହାରେ ଚାଲିଥିବା ବିଭିନ୍ନ ଦୃଶ୍ୟକୁ ନିଜ ମୋବାଇଲରେ ବାନ୍ଧି ରଖିବାରୁ ଦେଖଣାହାରୀଙ୍କ ମଧ୍ୟରେ ଚାଲିଥିଲା ପ୍ରବଳ ପ୍ରତିଯୋଗିତା। କେହି କେହି ନିଜ ନିଜ ଚ୍ୟାନେଲରେ ଲାଇଭ୍ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୨୫ ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା ଆଜିର ପଥ ଉତ୍ସବ । କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ଵ ନିଭାଇଥିଲେ ଅତିରିକ୍ତ କମିଶନର ରତ୍ନାକର ସାହୁ ଏବଂ କୈଳାସ ଚନ୍ଦ୍ର ଦାସ । ଟିମ୍ ବି ଏମ୍ ସି ର ସମସ୍ତ କର୍ମଚାରୀ ଭିନ୍ନ ଦାୟିତ୍ଵ ନେଇଥିଲେ ଏବଂ ସଫେଇ କର୍ମୀଙ୍କ ସହଯୋଗରେ ସଙ୍ଗେ ସଙ୍ଗେ ସଫେଇ କରଯାଇଥିଲା ।

Leave A Reply

Your email address will not be published.