ବାହାଘର ଭୋଜି ଖାଇ ୩୦୦ ଅସୁସ୍ଥ। ଗାଁରେ ପହଁଚିଲା ଡାକ୍ତରୀ ଟିମ।

0 239

ବୋଲଗଡ଼,୧୮/୦୨(ପିପିଟି)ବୋଲଗଡ଼ ସନ୍ନିକଟ କଟକ ଜିଲ୍ଲା ବାଙ୍କୀ ବ୍ଳକ୍ ବୈଦେଶ୍ୱର ପାଟଣାସାହିର ଖୋର୍ଦ୍ଧା ବୋଲଗଡ଼ ବାଙ୍କୋଇ ଅଞ୍ଚଳରୁ ବରଯାତ୍ରୀ ଆସିଥିଲେ । ବରଯାତ୍ରୀଙ୍କ ସହ ହଜାରେ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା। ଏହି ଭୋଜିଭାତ ଯେ କାଳ ହେବ ତାହା କେହି କଳ୍ପନା ବି କରିନଥିଲେ। ଭୋଜି ଖାଇବାର କିଛି ସମୟ ପରେ ଝାଡ଼ା, ବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହେଲେ ୩ ଶହରୁ ଅଧିକ । ସେମାନଙ୍କ ମଧ୍ୟରୁ ୮୦ରୁ ଅଧିକଙ୍କୁ ଗୁରୁତର ଅବସ୍ଥାରେ କଟକ, ଭୁବନେଶ୍ଵର, ଖୋର୍ଦ୍ଧାର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ଦୁଇଟି ମେଡିକାଲ୍ ଟିମ୍ ବୈଦେଶ୍ୱରପାଟଣା ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ସ୍ଥିତି ଗମ୍ଭୀର ରହିଥ‌ିବାରୁ ଆବଶ୍ୟକ ସ୍ଥଳେ କଟକ ସଦରମହକୁମାରୁ ମେଡିକାଲ୍ ଟିମ୍ ଗାଁକୁ ପଠାଯିବାକୁ ଯୋଜନା ହେଉଛି । ଖାଦ୍ୟ ଅପମିଶ୍ରଣ ବା ସଂକ୍ରମଣ ଜନିତ ବିଷାକ୍ତ ହେବା ଯୋଗୁଁ ଝାଡ଼ା, ବାନ୍ତି, ବ୍ୟାପିଥିବା ଚିକିତ୍ସାକାରୀ ଡାକ୍ତରମାନେ କହିଛନ୍ତି।ରବିବାର ରାତିରେ ବୈଦେଶ୍ୱରପାଟଣା ଗ୍ରାମର ପଦ୍ମନାଭସାହୁଙ୍କ ଝିଅଙ୍କର ବିବାହ ଥିଲା। ଏଥିପାଇଁ ଗ୍ରାମବାସୀ ଓ ବରପକ୍ଷଙ୍କୁ ମିଶାଇ ପ୍ରାୟ ହଜାରେ ଲୋକଙ୍କ ଲାଗି ଭୋଜିଭାତର ଆୟୋଜନ କରାଯାଇଥିଲା। ଭୋଜିରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ଯାହାକୁ ଖାଇ ଲୋକେ ଘରକୁ ଫେରିଥିଲେ। ଫେରିବାର କିଛି ସମୟ ପରେ ଲୋକେ ଅସୁସ୍ଥ ଅନୁଭବ କରିଥିଲେ।ହଠାତ୍ ଝାଡ଼ା, ବାନ୍ତି ଆରମ୍ଭ ହୋଇଯାଇଥିଲା। ଜଣେ କି ଦୁଇ ଜଣ ନୁହେଁ, ଗାଁ ଯାକ ଲୋକେ ବାହାଘର ଭୋଜି ଖାଇ ସଂକ୍ରମଣର ଶିକାର ହୋଇଥିଲେ। ଭୟରେ ବୈଦେଶ୍ଵର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ସେଠାରେ ଗହଳି ବଢ଼ିଯାଇଥିଲା। ସ୍ଥିତି ଏମିତି ହେଲା ଯେ ବାଙ୍କୀ, ସୁବର୍ଣ୍ଣପୁର, ବଡ଼ମ୍ବା ଓ ବାଙ୍କୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଉ କେତେଜଣ ଆକ୍ରାନ୍ତ ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୮୦ ଜଣରୁ ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ହସ୍‌ପିଟାଲରେ ରଖି ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ପ୍ରାୟ ୨ଶହରୁ ଅଧିକ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି।କେବଳ ବୈଦେଶ୍ୱରପାଟଣା ଗ୍ରାମବାସୀ ନୁହନ୍ତି, ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରୁ ଆସିଥିବା ବହୁ ବରଯାତ୍ରୀ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ବୋଲଗଡ଼ ବାଙ୍କୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଉଛି।ଅନ୍ୟପକ୍ଷରେ ବୈଦେଶ୍ଵର ପାଟଣା ଗ୍ରାମକୁ ସୁବର୍ଣ୍ଣପୁର ଓ ବୈଦେଶ୍ୱରରୁ ଦୁଇଟି ମେଡିକାଲ୍‌ରୁ ଦୁଇଟି ଟିମ୍ ପହଂଚି ଘରକୁ ଘର ବୁଲି ଚିକିତ୍ସା କରୁଛନ୍ତି। ଆକ୍ରାନ୍ତଙ୍କୁ ଓଆର୍‌ଏସ୍ ସହିତ ବିଭିନ୍ନ ଔଷଧ ମାଗଣାରେ ବଣ୍ଟନ କରାଯାଉଥିବା ବେଳେ ସ୍ଥିତି ଗମ୍ଭୀର ରହିଛି। ଅନ୍ୟପକ୍ଷରେ ଖାଦ୍ୟ ଅପମିଶ୍ରଣ କେମିତି ହେଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ପ୍ରଶାସନର ଟିମ୍ ଘଟଣାସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିଛନ୍ତି। ଆଜି ମଧ୍ୟ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବୈଦେଶ୍ଵର ମେଡିକାଲ ରେ ପହଂଚିବା ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ସେହିପରି ଯୁବସମାଜସେବୀ ଅଭିନାସ ପଟ୍ଟନାୟକ ମଧ୍ୟ ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ଵ ଦେଇଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.