ବାସ ନଥିବାରୁ ବିଧବା ବୃଦ୍ଧାଙ୍କ ଶୌଚାଳୟରେ ବାସ

0 240

ମାଲକାନଗିରି,୧୧/୦୯(ପିପିଟି) :ଯେ କୌଣସି ମଣିଷ ସମାଜରେ ବଞ୍ଚିବା ପାଇଁ ଅନ୍ତତଃ ପକ୍ଷେ ତିନୋଟି ମୌଳିକ ଆବଶ୍ୟକତା ରହିଛି। ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର, ଖାଇବାକୁ ଦି’ ଓଳି ଦି’ ମୁଠା ଭାତ ଆଉ ଲଜ୍ଜା ନିବାରଣ ପାଇଁ ଦୁଇ ଖଣ୍ଡ ବସ୍ତ୍ର । ଦାରିଦ୍ର୍ୟ ଦୂରୀକରଣ କରିବା ରାଜ୍ୟ ବା କେନ୍ଦ୍ର ସରକାରଂକ ଏହା ଏକ ସାମ୍ବିଧାନିକ ଦାୟିତ୍ଵ ବୋଧ । କିନ୍ତୁ ସରକାର ପରେ ସରକାର ଆସୁଛି ଏବଂ ଯାଉଛି। ନିର୍ବାଚନୀ ଇସ୍ତାହାରରେ ଅନେକ ଅନେକ ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖା ଯାଉଛି। ତଥାପି ଗରିବ ସେମିତି ଦାରିଦ୍ର୍ୟ କଷାଘାତରେ ଉତ୍ପଡିନ ହେଉଛି। ଧନୀ ଦିନକୁ ଦିନ ଟଙ୍କାର ପାହାଡରେ ବସି ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ହୋଇ ଭୋଗ ବିଳାସରେ ଜୀବନକୁ ଉପଭୋଗ କରୁଛି। ଏହା କ’ଣ ଆମ ପୂର୍ବ ଜମାନଙ୍କର ସ୍ବାଧୀନତାର ବାସ୍ତବ ସ୍ବପ୍ନ ଥିଲା କି ? ଯଦି ସମାଜରେ ଯେ କୌଣସି ବ୍ୟକ୍ତି ଖାଦ୍ୟ, ବସ୍ତ୍ର ଏବଂ ବାସ ଗୃହରୁ ବଞ୍ଚିତ ହୁଏ, ଏହାକୁ କେଉଁ ଗଣତନ୍ତ୍ର ମୂଲ୍ୟବୋଧ କୁ ବୋଧଗମ୍ୟ ହେବ । ଏମିତି ଏକ ଦାରିଦ୍ର୍ୟର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମର ଇଟା ଭାଟି ସାହିରେ ।ଜଣେ ବିଧବା ବୃଦ୍ଧା ଦୈମତି ରାଉତ ଘର ଖଣ୍ଡେ ନଥିବାରୁ ଶୌଚାଳୟରେ ପଲିଥିନ ବାନ୍ଧି ରହୁଥିବା ଘଟଣା ଲୋକଲୋଚନକୁ ଆସିଛି ।ବିଗତ ବିଜେଡି ସରକାରଙ୍କ ସମୟରେ ବାରମ୍ବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଆସୁଛନ୍ତି ଦୈମତି ରାଉତ । ତାଙ୍କ ନାମରେ ଥିବା ଶୌଚାଳୟ ଘରେ ପଲିଥିନ ବାନ୍ଧି ରହୁଥିବା ଦେଖିବାକୁ ମିଳିଛି। କିଛି ବର୍ଷ ତଳେ ଦଇମତିଙ୍କ ପୁଅ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଆସିଥିଲା କିନ୍ତୁ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ତାଙ୍କ ନାମକୁ ୨୦୨୧/୨୨ରେ କଟା ଯାଇଥିଲା ।ଏ ସମ୍ପର୍କରେ ବିଡ଼ିଓଙ୍କୁ କିଛି ସମାଜ ସେବୀ ଦୃଷ୍ଟି ଆକର୍ଷଣ କରିଥିଲା ବେଳେ କିଛି ସୁଫଳ ମିଳିନଥିଲା। ବର୍ତ୍ତମାନ ବୃଦ୍ଧା ଜଣଙ୍କ ଲଗାଣ ବର୍ଷାରେ କିପରି ଜୀବନ ନିର୍ବାହ କରୁଛି, ସେହି ଅସହାୟ ଅବସ୍ଥାକୁ ସ୍ବଚକ୍ଷୁରେ ଦେଖିଲେ ହିଁ ବିଶ୍ଵାସ କରି ହେବ । ସେହି ବିଧବା ବୃଦ୍ଧା ଜଣକ କିପରି ଏକ ଶୌଚାଳୟ ଗୃହରେ ଖଣ୍ଡେ ପୁରୁଣା ପଲିଥିନ ବାନ୍ଧି ଜୀବନ କାଟୁଛି । ଏହା ସଭ୍ୟ ସମାଜ ପାଇଁ ଲଜ୍ଜା ଏବଂ ଜିଲ୍ଲା ପ୍ରଶାସନର ଅପାରଗତା କୁ ପଦାରେ ପକାଇଛି । ତାଙ୍କୁ ସରକାରୀ ଆବାସ ଖଣ୍ଡେ ମିଳିବା ପାଇଁ ବର୍ତ୍ତମାନ ମୋହନ ସରକାରୀଙ୍କୁ ଗଣ ମାଧ୍ୟମ ଦ୍ବାରା ଗୁହାରି ଜଣାଇଛି । ସତରେ ଦୈମତିର ସ୍ବପ୍ନ କେବେ ପୂରଣ ହେବ ଅପେକ୍ଷାରତ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.