ବାଲ୍ୟ ବିବାହ ଭାରତ ମୁକ୍ତ ଯୋଜନା ସଚେତନତା ।

0 211

ଭଞ୍ଜନଗର,୧୬/୦୧(ପିପିଟି ):ଭଞ୍ଜନଗର ସିଡ଼ିପିଓ କାର୍ଯ୍ୟାଳୟ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ବାଲ୍ୟ ବିବାହ ଏବଂ ମହିଳା ଓ ଶିଶୁ ନିର୍ଯ୍ୟାତନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ସିଡିପିଓ ମିଲୀମା କୁମାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ଭାରତ ମୁକ୍ତ ସଚେତନ କାର୍ଯ୍ୟକ୍ରମ ଉପରେ କହିଥିଲେ। ଗତ ନଭେମ୍ବର ମାସ ୨୭ ତାରିଖରୁ ଏହି ସଚେତନତା କାର୍ଯ୍ୟକ୍ରମ ସମଗ୍ର ଦେଶରେ ଚାଲିଛି। ଏହା ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ବିଶ୍ବ ମହିଳା ଦିବସ ପର୍ଯ୍ୟନ୍ତ ୧୦୦ ଦିନ ଧରି ଚାଲିବ। ବାଲ୍ୟ ବିବାହ ରୋକିବା ଲକ୍ଷ୍ୟ ନେଇ ସମସ୍ତ କିଶୋର କିଶୋରୀ ମାନଙ୍କୁ ଏନେଇ ସଚେତନତା କରାଯାଉଛି । ମାର୍ଚ୍ଚ ୮ ତାରିଖ ସୁଧା ଦେଶରୁ ବାଲ୍ୟ ବିବାହ ମୁକ୍ତ କରିବା ଯୋଜନା ଲକ୍ଷ୍ୟ ରଖାଯାଇଛି। ଏହାକୁ ଆଖି ଆଗରେ ରଖି ଯୋଜନା ହାତକୁ ନିଆଯାଇଛି।ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ସଚେତନତା କାର୍ଯ୍ୟକ୍ରମ ଚାଲିଛି ବୋଲି ସି ଡି ପି ଓ ପଣ୍ଡା କହିଥିଲେ। ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ନିକଟରେ ଖୋଲିଥିବା ସକ୍ଷୀ କେନ୍ଦ୍ରର ପରାମର୍ଶଦାତା ପ୍ରତିଭା ରାଣୀ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସକ୍ଷୀ କେନ୍ଦ୍ର ମହିଳା ମାନଙ୍କ ପାଇଁ କିଭଳି କାମରେ ଆସୁଛି ସେନେଇ ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ସଚେତନ କରାଇଥିଲେ। ଅନେକ ମହିଳା ଓ ଶିଶୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି। କିନ୍ତୁ ବେଳେ ବେଳେ ସେମାନଙ୍କୁ ଆଇନର ସହାୟତା ପାଇଁ ଉପଯୁକ୍ତ ପରାମର୍ଶ ଓ ଥଇଥାନ ସୁବିଧା ମିଳିନଥାଏ। ଫଳରେ ସେମାନେ ଉକ୍ତ ସମୟରେ ମାନସିକ ଅସ୍ଥିରତା ମଧ୍ୟରେ ଥାଆନ୍ତି। ସମସ୍ତ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଉକ୍ତ କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ର ୨୪ ଘଣ୍ଟିଆ ଖୋଲା ରହୁଛି। ଯେତେବେଳେ ଯାହାର ସହଯୋଗ ଲୋଡ଼ା ଆମେ ସହାୟତା ପାଇଁ ପ୍ରସ୍ତୁତ ଅଛୁ ବୋଲି ନାୟକ କହିଥିଲେ। ସୁପର ଭାଇଜର ଗୀତାଞ୍ଜଳି ପଟ୍ଟନାୟକ, ଅଧ୍ୟାପିକା ମାମାଲି ନାୟକ, ମିକି ନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଛାତ୍ରୀ ଛାତ୍ର ଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଥିଲେ। ଶାଖା ୨ ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଶାଖା ୧ ଅଧିକାରୀ ବି ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ।
ଏହା ପୁର୍ବରୁ ଅଞ୍ଚଳର ବହୁ ଅଙ୍ଗନୱାଡ଼ି ଛାତ୍ରୀ ଛାତ୍ରଙ୍କ ସହ ମିଶି ବାଲ୍ୟ ବିବାହ ଭାରତ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଶପଥ ପାଠ କରିଥିଲେ ।ଏଥିସହ ଜାତୀୟ ସେବା ଯୋଜନା ପୋଷ୍ୟ ଗ୍ରାମ ଅଞ୍ଚଳର ଲୋକଙ୍କୁ ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା କରାଯାଇଥିଲା । ଏଥିସହ ଗୁରୁବାର ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ଜଳବାୟୁ ପରିବର୍ତ୍ତନ ଓ ତାହାର କୁପ୍ରଭାବ ଉପରେ ଛାତ୍ରୀ ଛାତ୍ରଙ୍କୁ ସଚେତନ କରିଥିବା ବେଳେ ସମାଜସେବୀ ଶୂଳପାଣି ଶତପଥି ବୁଧବାର ନିଶା ନିବାରଣ ସମେତ ଅନ୍ୟାନ୍ୟ ବିଷୟରେ ଛାତ୍ରୀ ଛାତ୍ର ଙ୍କୁ ସଚେତନ କରାଇଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.