ମାଲକାନଗିରି,୦୬/୦୧(ପିପିଟି): ମାଲକାନଗିରି ଜିଲ୍ଲା ଗୁରାଖୁଣ୍ଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ କୃଷୁୱାଡା ଗ୍ରାମର ବାଲ୍ମିକୀ ଉପଜାତିକୁ ଆଞ୍ଚଳିକ ପାରମ୍ପାରିକ ବନବାସୀର ମାନ୍ୟତା ଦେଇ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏମାନଙ୍କ ମାତୃଭାଷା ତେଲୁଗୁ ଏବଂ ସେମାନେ ଆଞ୍ଚଳିକ ପାରମ୍ପରିକ ବନବାସୀ ବାଲ୍ମିକ ଉପଜାତିର ବୋଲି ଦାବି କରି ଆସୁଛନ୍ତି । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଲା । ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ସହ ମିଶିକି ରହିଥିଲା । ୧୯୩୬ ପରେ ଏହି ଲୋକଙ୍କ ଅନେକ ବଂଶଧର ମାନେ କେତେକ ଆନ୍ଧ୍ରପ୍ରଦେଶରେ ରହିଗଲେ । ଆଉ କେତକ ଓଡିଶାବାସୀ ହୋଇ ଗଲେ । ତେବେ ଆନ୍ଧ୍ରପ୍ରଦେଶରେ ଏହି ଲୋକଙ୍କ ବଂଶଜମାନଙ୍କୁ ଏସ.ଟିର ମାନ୍ୟତା ଦିଆଯାଇଛି ।ସେମାନଙ୍କର ଉପଜାତି ବଲ୍ମିକ ବୋଲି ଲିପିବଦ୍ଧ ମଧ୍ୟ ହୋଇଛି । ତେଣୁ ଏହି ଅନୁସାରେ ଏଠାରେ ଥିବା ବାଲ୍ମିକ ଉପଜାତିର ଲୋକଙ୍କୁ ମଧ୍ୟ ଆଦିବାସୀ ମାନ୍ୟତା ଦେବା ସହ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଅନୁଯାୟୀ ଗ୍ରାମବାସୀ ମାନେ ଦୀର୍ଘ ବର୍ଷ ଧରି ଦଖଲ କରି ଆସୁଥିବା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବାକୁ ଦାବି ହୋଇଛି । ସମସ୍ତ ତଥ୍ୟର ସତ୍ୟାସତ୍ୟ ଅନୁଧ୍ୟାନ ପୂର୍ବକ ଆଞ୍ଚଳିକ ପାରମ୍ପରିକ ବନବାସୀର ମାନ୍ୟତା ଦେଇ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ଦଖଲରେ ଥିବା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବାକୁ ଜିଲ୍ଲାପାଳ ନିକଟରେ ଦାବି କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମଲକାନଗିରି)