ବାତ୍ୟା ‘ଦାନା’ ପାଇଁ ପ୍ରଶାସନ ତତ୍ପର ବୁଲିଲା ଡ଼ାକବାଜି ପ୍ରଚାର ।

0 322

ବାସୁଦେବପୁର,୨୨/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପ୍ରଶାସନ ତତ୍ପର ହୋଇଛି। ପ୍ରଶାସନ ପକ୍ଷରୁ ଜରୁରୀ ବୈଠକ ଜରିଆରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଜେଟି ଅଞ୍ଚଳରେ ଡ଼ାକବାଜି ଜରିଆରେ ସଚେତନ କରାଯାଇଥିବା ବେଳେ ମଙ୍ଗଳବାର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀର ସ୍ଥିତି ପରଖିଛି। ଆଶ୍ରୟସ୍ଥଳୀର ଉପକରଣ କଣ ରହିଛି, କାର୍ଯ୍ୟକ୍ଷମ ରହିଛି କି ନାହିଁ ବୁଲି ବୁଲି ତଦାରଖ କରିଛି। ତେବେ କେତେକ ଆଶ୍ରୟ ସ୍ଥଳୀରେ ଉପକରଣ ତ୍ରୁଟି ରହଥିବା ବେଳେ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ବିଡ଼ିଓ ସଂଜୀବ କୁମାର ସାହୁ କହିଛନ୍ତି। ଅନ୍ୟପଟେ ବାତ୍ୟାକୁ ନେଇ ମତ୍ସ୍ୟଜୀବୀ ମାନଙ୍କୁ ସମୂଦ୍ରକୁ ନଯିବାକୁ ବାରଣ କରାଯାଇଛି। ଜେଟି ମୁହାଣରେ ବୋଟ ବାନ୍ଧିବାରେ ମତ୍ସ୍ୟଜୀବୀ ତତ୍ପର ହୋଇଛନ୍ତି । କିଏ ବୋଟକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରଛି ଆଉକିଏ ଉପକରଣ ସାଇତିବାରେ ଲାଗିପଡିଛି। ବିଶେଷ କରି ବାସୁଦେବପୁର ବ୍ଲକର ବହୁ ଅଞ୍ଚଳ ସମୁଦ୍ରର ଅତି ନିକଟରେ ଅବସ୍ଥିତ ଥିବାରୁ ବାତ୍ୟାର ଭୟ ଘାରୁଛି। ମୁକାବିଲା ପାଇଁ ସମସ୍ତ ବ୍ୟାପକ ପ୍ରସ୍ତୁତି ହୋଇଥିବା ବିଡ଼ିଓ ଶ୍ରୀ ସାହୁ କହିଛନ୍ତି । ଯାହା ସମସ୍ୟା ନଜରକୁ ଆସିବ ନିୟୋଜିତ ନୋଡ଼ାଲ ଅଫିସର ତୁରନ୍ତ ସୂଚନା ଦେବାକୁ କୁହାଯାଇଛି । ଏହାବାଦେ ୩ ଟି ଓଡ୍ରାଫ ଟିମ ବାସୁଦେବପୁରକୁ ଆସୁଛନ୍ତି। ଗୋଟିଏ ବ୍ଲକ ପରିସରରେ ଅନ୍ୟ ଦୁଇଟି କଷିଆ ଓ ଚୁଡାମଣି ଅଞ୍ଚଳରେ ସଜାଗ ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ରହିଛି।

Leave A Reply

Your email address will not be published.