ନିଆଁ ଲଗାଇଲେ ଘଟେ ବିସ୍ଫୋରଣ
ବାହାରେ ପ୍ରବଳ ଧୂଆଁ….
ରଙ୍ଗ ବେରଙ୍ଗର ବଜାରେ ପ୍ରାପ୍ତ
ବାଣ ବୋଲି ତା’ର ନାଁ….!!
ଦୀପାବଳି ସନ୍ଧ୍ୟା ପ୍ରବେଶ ହୁଅନ୍ତେ
ବାଣ ଫୁଟା ଶୁଭେ ଗର୍ଜନ…
ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ
ଛଟ ପଟ ହୁଏ ଜୀବନ….!!
ପରମ୍ପରା କହି ଚାଲି ଆସୁଅଛି
ଏମିତି ବିପଦ ମୁହୂର୍ତ୍ତ…..
ଭାବିବାକୁ ବେଳ ନାହିଁ ନିଜ ପାଖେ
ରୋଗୀ ବୃଦ୍ଧ ବାଳ ଚିନ୍ତିତ…..!!
ହୃଦ୍ ରୋଗୀମାନେ ବାଣ ବିସ୍ଫୋରଣେ
ଯନ୍ତ୍ରଣା ଭୋଗନ୍ତି ବହୁତ…..
ବିଶୁଦ୍ଧ ପବନ ମିଳେ ନାହିଁ ଟିକେ
ଜୀବନ ବିପନ୍ନେ ପଡ଼େ ତ….!!
ପରିବେଶ ସୁସ୍ଥ ରଖିବାକୁ ବୃକ୍ଷ
ରୋପୁ ନାହୁଁ କେବେ ଦିନେ….
ବାୟୁ ପ୍ରଦୂଷଣ ବୃକ୍ଷ ହିଁ ରୋକିବ
ହେଜ ବିଜ୍ଞ ଜନେ ମନେ….!!
ଦୀପାବଳି ରାତ୍ରେ ଜଳେ ମାଟି ଦୀପ
ଅସଂଖ୍ୟ କଳନା ନାହିଁ….
ସେ ଧୂମ ମିଶଇ ବାୟୁମଣ୍ଡଳରେ
ବାୟୁ ଯେ ଦୂଷିତ ହୋଇ….!!
ପୁଣି ବାଣ ଧୂଆଁ ମିଶ୍ରଣ ହୋଇଣ
ବିଷାକ୍ତ ବାୟୁ କରି….!!
ବାରୁଦ ଗନ୍ଧରେ ନାକ ଫାଟି ପଡେ
ଅଣ ନିଃଶ୍ବାସ ଲାଗଇ…
ବିବେକୀ ମାନବ ଅବିବେକୀ ହୋଇ
ଧରାକୁ ଧ୍ବଂସ କରି….!!
ପର ଦିନ ପ୍ରାତେଃ ସବିତା ଉଇଁଲେ
ଅସ୍ପଷ୍ଟ ଦିଶଇ ରବି…..
ଧୂମ କୁଣ୍ଡଳୀରେ ଆଛନ୍ନ ଆକାଶ
ମଳିନ-ପ୍ରକୃତି-ଛବି…!!
ଘର ସମ୍ମୁଖରେ କୁଢ କୁଢ ଦୃଶ୍ୟ
ଅଳିଆ ଯେ ଆବର୍ଜନା….
ଦର ପୋଡା ବାଣ ଖୋଳପା ସକଳ
ମନରେ ଆସଇ ଘୃଣା….!!
ବାଣ ତିଆରିରେ ବିସ୍ଫୋରଣ ଘଟି
ମୃତ୍ୟୁ କେ ବରଣ କରେ…
ଘର ଦ୍ବାର ପୋଡି ଧ୍ବଂସ ହୋଇ ଯାଏ
କା’ ନୟନୁ ଅଶ୍ରୁ ଝରେ….!!
ବାଣ ଫୁଟାଇଣ ହରାଏ କେ ଚକ୍ଷୁ
ଦେହ ହାତ ଜଳି ଯାଏ…..
ଚିକିତ୍ସାଳୟରେ ଭର୍ତ୍ତି ହୋଇ କିଏ
ଆର୍ତ୍ତନାଦ କରୁଥାଏ….!!
ବାଣ ଫୁଟାଇବା କେତେ ଯେ ବିପଦ
ମରଣକୁ ଡାକି ଆଣେ….
ସରକାର ତୁମେ ସୁବିଚାର କର
ପ୍ରଜାଙ୍କ ମଙ୍ଗଳ କା୍ମ୍ଯେ…!!
କଵି କେଶବ ଚନ୍ଦ୍ର ନାୟକ
ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭