ଭଞ୍ଜନଗର, ୧୨/୦୯(ପିପିଟି):୧୫୭ନଂ ଜାତୀୟ ରାଜପଥ ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ନିକଟରେ ବାଇକ ସହ ବଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମୁଜାଗଡ଼ ଗ୍ରାମର ରମିନ କୁମାର ପ୍ରଧାନ(୩୫) କୌଣସି କାମରେ ଭଞ୍ଜନଗର ଆସି ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଏକ ବସକୁ ଅତିକ୍ରମ କରିବାକୁ ଯାଇ ବିପରୀତ ଦିଗରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର କିଛି କର୍ମଚାରୀଙ୍କୁ ନେଇ ବ୍ରହ୍ମପୁର ଠାରେ ଏକ ତାଲିମ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସୁଥିବା ବଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ରମିନ ରାସ୍ତାରେ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲା।ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ହେଲେ ତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ଏହି ସମୟରେ ଅଧା ବାଟରେ ତାର ମୃତ୍ୟୁ ଘଟିଥିବା ଜଣାପଡିଛି।ଏସମ୍ପର୍କ ରେ ଭଞ୍ଜନଗର ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଭାରପ୍ରାପ୍ତ ଅଧିକାରୀ କେଶବ ଶଢଙ୍ଗୀ କହିଛନ୍ତି।ଗତ ୩ବର୍ଷ ପୂର୍ବେ ରମିନର ଭାଇର ମୃତ୍ୟୁ ଘଟିଥିବା ବେଳେ ଏଭଳି ସ୍ଥିତିରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।
ରିପୋର୍ଟ-ଜେ କେ ପଟ୍ଟନାୟକ