ବାଇକ ଦୁର୍ଘଟଣାରେ ଜଣେ ମୃତ,ଜଣେ ଗୁରୁତର ।

0 51

ଭଞ୍ଜନଗର, ୦୯/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ କୋଟି ବରାଡି ଗାଁ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ଜଗନ୍ନାଥପ୍ରସାଦ ଥାନା ବାଉଁଶ ମଣି ଗାଁର ସଞ୍ଜୟ ପ୍ରଧାନ ଓ ଗୁରୁତର ଜଣକ ତାରସିଂ ଥାନା ଅଧିନ ଚଢେୟାପଲ୍ଲୀର ବାବୁ ମଲ୍ଲିକ ବୋଲି ଜଣାପଡିଛି।

ସୁଚନାନୁସାରେ, ଗତକାଲି ରାତିରେ ଉଭୟେ ଏକ ବାଇକ ରେ ଦଣ୍ଡ ନାଚ ଦେଖିବାକୁ ଯାଇଥିଲେ। ନାଚ ଦେଖି ଫେରିବା ସମୟରେ କୋଟି ବରାଡି ଗାଁ ନିକଟ ଏକ କଲଭର୍ଟରେ ବାଇକ୍ ଟି ଭାରସାମ୍ୟ ହରାଇ ଧକ୍କା ହୋଇଥିଲା।ଫଳରେ ବାଇକ ସହ ଦୁହେଁ ରାସ୍ତା କଡରେ ଥିବା ଏକ ଖାଲ ରେ ପଡିଥିଲେ। ଉଭୟେ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ସଞ୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାବୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.