ଭଞ୍ଜନଗର, ୨୯/୦୯(ପିପିଟି):ନକଲି ଆଡି ଖୋଲି ସୋସିଆଲ୍ ମିଡିଆରେ ଅପ୍ରଚାର କରିବା ସହ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ୍ ଆଜି କଟକ ଜିଲ୍ଲା ନେମାଳ ଥାନା ଇଲାକାର ପିକା ଭୂୟାଁ(୫୦)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି। ବୁଗୁଡା ଥାନା କରଚୁଲି ଠାରେ ରହିଥିବା ଏକ ଆଶ୍ରମର ସନ୍ଥ ତଥା ଅଖିଳ ଭାରତୀୟ ସନ୍ଥ ସମିତିର ସଭାପତି ସତ୍ୟ ନାରାୟଣ ବ୍ରହ୍ମଚାରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନମ୍ବର ୮୯୦ରେ ଏକ ମାମଲା ରୁଜୁ କରି ପିକାକୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ପିକା ନିଜକୁ ବିଶ୍ବଗୁରୁ ଜ୍ଞାନନନ୍ଦ ସରସ୍ବତୀ ଭାବେ ପରିଚୟ ଦେଇ ବିଭିନ୍ନ ସମୟରେ ସାଧୁସନ୍ଥଙ୍କ ଚରିତ୍ରକୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ଅପପ୍ରଚାର କରୁଥିଲା। ଏଭଳିକି ଅଭିଯୋଗକାରୀ ସତ୍ୟାନନ୍ଦ ବ୍ରହ୍ମଚାରୀଙ୍କ ନାମରେ ସୋସିଆଲ୍ ମିଡିଆରେ ନକଲି ଆଡି ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ଆପତ୍ତିଜନକ ପୋଷ୍ଟ କରୁଥିଲା। ଏହାର ପ୍ରତିବଦଳରେ ଟଙ୍କା ମାଗିବା ମଧ୍ୟ ଅଭିଯୋଗ ହୋଇଛି। ଗତକାଲି ଉଭୟଙ୍କ ମଧ୍ୟରେ ଫୋନ୍ ରେ ଯୁକ୍ତିତର୍କ ହେବା ପରେ ସତ୍ୟାନନ୍ଦଙ୍କୁ ସେ ଭଞ୍ଜନଗରକୁ ଡାକିଥିଲା କିନ୍ତୁ ସେ ଦୁର୍ଗପ୍ରସାଦ ଠାରେ ରହିଥିବା କହିବା ପରେ ସତ୍ୟାନନ୍ଦ ସେଠାକୁ ଯାଇଥିଲେ ଏବଂ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପିକାକୁ ଥାନାକୁ ଆଣିଥିବା ବେଳେ ତଦନ୍ତ ସମୟରେ ତା ନିକଟରୁ ୨ଟି ମୋବାଇଲ ଓ ଲାପ୍ଟପ୍ ଜବତ ହୋଇଥିବା ଜଣାପଡିଛି। ତଦନ୍ତ ବେଳେ ସେ ଏଭଳି ଅନେକ ସାଧୁସନ୍ଥଙ୍କୁ ବ୍ଳାକ୍ମେଲ୍ କରୁଥିବା ପୁଲିସ୍ ଜାଣିବାକୁ ପାଇଛି। ସାଧୁସନ୍ଥ ମାନେ ନିଜର ଚରିତ୍ରକୁ ନେଇ ଅଧିକ ଯତ୍ନଶୀଳ ରହିଥିବା ବେଳେ ତାର ଫାଇଦା ନେଇ ସେମାନଙ୍କ ନାମରେ ଫେକ୍ ଆଡି ଖୋଲି ବଦନାମ କରିବାକୁ ଚେଷ୍ଟା କରିବା ସହ ସେମାନଙ୍କ ଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ତା ନାମରେ ପୂର୍ବରୁ ମଧ୍ୟ ବୁଗୁଡା,ପୁରୀ ଓ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।
ରିପୋର୍ଟ-ଜେ କେ ପଟ୍ଟନାୟକ