ବହୁ ପ୍ରତିକ୍ଷିତ ସୁନାପୁର ବେଳାଭୂମି ମହୋତ୍ସବ ଉଦଘାଟିତ ।

0 0

ସୁନାପୁର,୦୩/୦୨(ପିପିଟି): ଚିକିଟି ନିର୍ବାଚନ ମଣ୍ଡଳୀର ହୃତ ଗୌରବକୁ ଫେରେଇ ଆଣିବା ପାଇଁ ମହାଆଡମ୍ବରରେ ଆଜିଠୁ ଆରମ୍ଭ ହୋଇଛି ସୁନାପୁର ବେଳାଭୂମି ମହୋତ୍ସବ।

ଆଜିର ଉଦ୍ଘାଟନୀ ସଭାରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଞ୍ଚମାତୃକାଙ୍କୁ ପ୍ରମାଣ ଜଣାଇବା ସହ ସୁନାପୁର ସମେତ ଗଞ୍ଜାମ ଜ଼ିଲ୍ଲାର ବେଳାଭୂମି ଗୁଡିକର ସୌନ୍ଦର୍ଯ୍ୟ ତାଙ୍କୁ ବାଲ୍ୟକାଳରୁ ଆଜିପର୍ଯ୍ୟନ୍ତ ଅଭିଭୂତ କରିଆସିଛି ବୋଲି କହିଥିଲେ।

ଓଡିଶାବାସୀଙ୍କ ଧମନୀରେ କଳା ଓ ସଂସ୍କୃତି ପ୍ରବାହିତ। ଗଞ୍ଜାମବାସୀଙ୍କ ଧମନୀରେ ଏହାର ପ୍ରବାହ ସବୁଠୁ ଅଧିକ। କେବଳ କଳା ସଂସ୍କୃତି ନୁହେଁ ସ୍ୱାଧୀନତା ସଂଗ୍ରାମ ଠାରୁ ଭାଷା ସାହିତ୍ୟ ସଂସ୍କୃତି ଆନ୍ଦୋଳନ ଆଦି ସମସ୍ତ କ୍ଷେତ୍ରରେ ଗଞ୍ଜାମ ଆଗୁଆ। ଏ ମାଟିକୁ ଆସିଲେ ମୋତେ ବହୁତ ଗର୍ବିତ ଅନୁଭବ ହୁଏ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ।

ଏ ବର୍ଷର କେନ୍ଦ୍ର ବଜେଟରେ ଓଡିଶାର ବେଳାଭୂମିର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇଛି। ଗଞ୍ଜାମରେ ପ୍ରାୟ ୧୦୦ କିମିରୁ ଉର୍ଦ୍ଧ୍ୱ ବେଳାଭୂମି ରହିଛି। ତେଣୁ, ଇକୋ ଟୁ୍ରିଜିମ ସହିତ ମେଡିକାଲ ଟୁ୍ରିଜିମ ପ୍ରାଧାନ୍ୟ ଦେବା ସହ ଆମକୁ ଆମ ଲୋକ କଳା ଓ ଲୋକ ସଂଗୀତକୁ ଯଥେଷ୍ଟ ଭଲ ପାଇବା ଦେବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଥିଲେ । ପରିବେଶ ସୁରକ୍ଷା ସହିତ ପର୍ଯ୍ୟଟନର ସମୃଦ୍ଧି ମିଶିଗଲେ ୨୦୩୬ ବିକଶିତ ଓଡ଼ିଶାର ସ୍ବପ୍ନ ନିଶ୍ଚୟ ସଫଳ ହେବ ବୋଲି ସେ କହିଥିଲେ।

ଗଞ୍ଜାମ ତଥା ଚିକିଟିବାସୀଙ୍କ ଲୁକାୟିତ ପ୍ରତିଭାର ପରିପ୍ରକାଶ ପାଇଁ ତଥା ସ୍ଥାନୀୟ କଳା ଓ ସଂସ୍କୃତିର ସମୃଦ୍ଧି ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ। ସ୍ଥାନୀୟ ଅଞ୍ଚଳବାସୀ ଓ ଅନ୍ୟ ସମସ୍ତ ଅଂଶୀଦାରଙ୍କ ସହଯୋଗରେ ଏହି ମଞ୍ଚଙ୍କୁ ଏକ ଅନ୍ତର୍ଜାତୀୟ ମଞ୍ଚରେ ପରିଣତ କରିବା ତାଙ୍କର ସ୍ବପ୍ନ ବୋଲି ଚିକିଟି ବିଧାୟକ ତଥା ମହୋତ୍ସବର ସଭାପତି ମନୋରଞ୍ଜନ ଦ୍ୟାନ ସାମନ୍ତରା ଉଲ୍ଲେଖ କରିଥିଲେ।

ଦିଗପହଣ୍ଡି ବିଧାୟକ ତଥା ସିନେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ୬ ବର୍ଷ ବ୍ୟବଧାନରେ ପୁଣି ଥରେ ଏ ମହୋତ୍ସବ ପୁନଃ ଆରମ୍ଭ ହୋଇଛି। ତେଣୁ ଚିକିଟି ବିଧାୟକ ସାଧୁବାଦର ପାତ୍ର।

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜ଼ିଲ୍ଲାକୁ ବାରମ୍ବାର ଗସ୍ତ ଓ ଭଲ ପାଇବା,
ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ସିମାଞ୍ଚଳ ପାତ୍ର ଏବଂ ଦିଗପହଣ୍ଡିର ଫୋଡା ବୋମକେଇ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ଏହା ସହିତ ଓଡ଼ିଶାର ଘରେ ଘରେ ପରିଚିତ ସୁନେଲି ସୁନେଲି ଖରା ଓ ଫୁଛୁକି ଗାଲୀ ଫେସନ ବାଲି ଗୀତ ଗାଇ ଦେଖଣାହାରୀଙ୍କୁ ଆନନ୍ଦିତ କରିଥିଲେ ।

ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସାଂସଦଙ୍କ ପ୍ରତିନିଧି ମିନା ଦ୍ଯାନ ସାମନ୍ତରା, ଶାସକ ଦଳର ପ୍ରବକ୍ତା ମନୋଜ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଜ଼ିଲ୍ଲାପାଳ ଭି କୀର୍ତ୍ତି ୱାସନ ସ୍ୱାଗତ ଭାଷଣରେ ସୁନାପୁର ବ୍ଲୁ ଫ୍ଲାଗ ବେଳାଭୂମିର ମାନ୍ୟତା, ଗଞ୍ଜାମର ସମୃଦ୍ଧ କଳା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ରହ୍ମପୁର ମହାନିଗମର ଆୟୁକ୍ତ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଧନ୍ୟବାଦ ଦେଇଥିଲେ। ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର ଅଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳର ପାରମ୍ପରିକ ଲୋକ ନୃତ୍ୟ ତଥା ଆଧୁନିକ ନୃତ୍ୟ ତା ସହିତ ଓଡିଶାର ସୁପରିଚିତ ଗାୟିକା ଅସୀମା ପଣ୍ଡାଙ୍କ ସଂଗୀତ ଜନସାଧାରଣଙ୍କୁ ବିମୋହିତ କରିଥିଲା।

ଚିକିଟିସ୍ଥିତ ମା ବାଳକୁମାରୀ ଓ ମା ବଗଳାମୁଖୀ ମନ୍ଦିର, ଜୟନ୍ତିପୁରସ୍ଥିତ ମା ପଶ୍ଚିମେଶ୍ବରୀ ମନ୍ଦିର, ପାତ୍ରପୁରସ୍ଥିତ ମା କୁଠାରୀଶ୍ୱରୀ, ସୁନାପୁରସ୍ଥିତ ମା ଫୁଲକାଶୁଣୀ ଗ୍ରାମ ଦେବତୀଙ୍କ ଠାରୁ ଆଶୀର୍ବାଦ ମିଶ୍ରିତ ଆଂଜ୍ଞା ମାଳ ଅଣାଯାଇ ପଣ୍ଡିତ ଓ ସାଧୁସନ୍ଥଙ୍କ ଦ୍ୱାରା ପୂଜାର୍ଚ୍ଚନା ପୂର୍ବକ ସମୁଦ୍ର ଆଳତି କରାଯାଇ ସୁନାପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଏକ ମାରାଥନ ଆୟୋଜିତ ହୋଇଥିଲା। ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସୂଚନା ଯୋଗ୍ୟ ଯେ, ଆସନ୍ତାକାଲି ସୁଜ୍ଞାନୀ ମହାପାତ୍ର, ଓଲିଉଡ୍ ର ଡ୍ଯାନ୍ସର ଶୈଳେନ୍ଦ୍ର-ସୋହାନୀ ଓ ଟଲିଉଡ୍ ର ହାସ୍ଯ ଅଭିନେତା ମହମ୍ମଦ ଅଲ୍ଲି ସୁନାପୁରକୁ ଆସୁଛନ୍ତି।

Leave A Reply

Your email address will not be published.