ବସ ଭଡ଼ା ନିର୍ଦ୍ଧାରିତ ଦରଠାରୁ ଅଧିକ ନେବାରୁ ଅସନ୍ତୋଷ: ଆନ୍ଦୋଳନ ପାଇଁ ଚେତାବନୀ ।

0 129

ବାଲିଗୁଡା,୨୨୵୦୯(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ଘରୋଇ ଓ ସରକାରୀ ବସଗୁଡିକର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଅଧିକ ଅର୍ଥ ଯାତ୍ରୀମାନଙ୍କ ଠାରୁ ସଂଗ୍ରହ କରାଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବାକୁ ଅଞ୍ଚଳରେ ବିଭିନ୍ନ ଲୋକ ସଂଗଠନ ଗୁଡିକ ଏକତ୍ରିତ ହେଉଛନ୍ତି। ଏନେଇ କୁଇ ସମାଜର ପରାମର୍ଶଦାତା ଘନେଶ୍ୱର ପ୍ରଧାନ ଉଦବେଗ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ, ଦାରିଙ୍ଗବାଡିଠାରୁ ସିମନବାଡି ମାତ୍ର ୧୨ କିମି ଦୂରତା ରହିଥିବା ବେଳେ ଯାତ୍ରୀଙ୍କଠାରୁ ଟିକେଟ ବାବଦରେ ୨୦ ଟଙ୍କା ନିଆଯାଉଥିବା ବେଳେ ସିମନବାଡିଠାରୁ ରାଇକିଆ ମାତ୍ର ୨୪ କିମି ରାସ୍ତାକୁ ୪୦ ଓ ସିମନବାଡିରୁ ବାଲିଗୁଡା ୩୭ କିମିକୁ ୫୦ ଟଙ୍କା ପର୍ଯ୍ୟନ୍ତ ବସ ମାଲିକ ମାନେ ଟିକେଟ ସଂଗ୍ରହ କରୁଛନ୍ତି। ଏପରି ପ୍ରତି ଅଞ୍ଚଳକୁ ମଧ୍ୟ ଅଧିକ ଟଙ୍କା ନେଉଛନ୍ତି l ବିଶେଷ କରି ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଭଳି ଦୂର ଦୁରାନ୍ତ କୁ ମଧ୍ୟ ଅଧିକ ନେଉଛନ୍ତି l ଏହାର ସଠିକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅଞ୍ଚଳର ଶ୍ୟାମସେନ ଦିଗାଲ କହିଛନ୍ତି ଯେ, ଟିକେଟ ବାବଦକୁ ଅର୍ଥ ଅଧିକ ନେବା ସହ ଟିକେଟ ପ୍ରଦାନ କରୁନାହାନ୍ତି। ଫଳରେ ଆମେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ସେମାନେ ଆନ୍ଦୋଳନ କରିବା ପୂର୍ବରୁ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶିଶିର କୁମାର ସାହୁଙ୍କ ସହ ଫୋନରେ ଅଭିଯୋଗ କରିଥିବା କହିଛନ୍ତି। ଏନେଇ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶିଶିର କୁମାର ସାହୁଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି ଯେ, ଏଭଳି ଅଭିଯୋଗ ଆସିଛି। ସେ ଏନେଇ ବସ ମାଲିକ ସଙ୍ଘକୁ ଚିଠି କରିବା ସହ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.