***ବସନ୍ତ ଦେଲାଣି ମୃଦୁ ପରଶ***

0 23

କି ଦେଖିଲା ନେତ୍ର ନବୀନ ଛବି
ଧୀରେ ଯା ନ ବର୍ଣ୍ଣି ପାରିବ କବି…!!
ନିର୍ମଳ ଅମ୍ବର ଜଳଦ ଶୂନ୍ୟ
ଦୂରୁ ଶୋଭାଵନ ଗିରି କାନନ….!!
ପ୍ରଭାତେ ଶୀତଳ ସ୍ପର୍ଶିତ ତନୁ
କୋମଳ କର ଢାଳେ ବାଳ ଭାନୁ….!!
ସୁନେଲୀ କିରଣ ଲାଗି ତନୁଶ୍ରୀ
କୁସୁମ ବିକଶେ ଚାରୁ ରୂପସୀ….!!
ନବ ପଲ୍ଲବ ରେ ମଣ୍ଡିତ ବୃକ୍ଷ
ସବୁଜ ସୁନ୍ଦର ହରଇ ଦୁଃଖ….!!
ବକୁଳ ସୁଗନ୍ଧେ ମଳୟ ପୂର୍ଣ୍ଣ
ବକୁଳ ମଣ୍ଡିତ ଚ୍ଯୁତ ଶୋଭନ…!!
ସୁଗନ୍ଧିତ ହେଲା ମୃଦୁ ମଳୟ
ଦୁର୍ଗନ୍ଧ ପବନ ହେଲା ବିଲୟ….!!
ନାହିଁ ସୂର୍ଯ୍ୟ ତାପ ଶରୀର କ୍ଳେଶ
ନିର୍ଗତ ନହୁଏ ସ୍ବେଦ ବିଶେଷ….!!
ଏମିତି ସୁଖଦ ନାହିଁ ଜଗତେ
ପ୍ରାଣୀଙ୍କ ଜୀବନ କଟେ ପ୍ରମତ୍ତେ…!!
କି ସୁନ୍ଦର ତୋରା ରଜନୀ କର
ରଜନୀ ଲାଗଇ କେଡେ ସୁନ୍ଦର…!!
ଗଗନେ ବିକଶି କୁସୁମ ତାରା
ପ୍ରେମ ମୟ ଲାଗେ ଜଗତ ସାରା….!!
ବସନ୍ତ ପ୍ରବେଶ ହୋଇଲେ ଧରା
ନାନା ବର୍ଣ୍ଣେ ଶୋଭା ପୁଷ୍ପ ପସରା….!!
ସାନ୍ଧ୍ୟ ରେ ବିହଙ୍ଗ ସଂଗୀତ ଗାଏ
କବି ଭାବୁକଙ୍କ ମନକୁ ମୋହେ….!!
ବସନ୍ତ ଅଟଇ ଋତୁ ଙ୍କ ରାଜ
ଚାରୁ ଚିତ୍ରପଟେ ଅବନୀ ସଜ୍ଜ……!!
ସରିତ ନିର୍ଝର ସଲିଳ ସ୍ବଚ୍ଛ
ଶାନ୍ତ କାନ୍ତ ଗମେ ନହୋଇ ଉତ୍ସ….!!
ବସନ୍ତ ଋତୁଟି ପ୍ରେମ ର ଋତୁ
ପ୍ରେମ ହିଁ ଜୀବନ କେ ଭୁଲେ ଚିତ୍ତୁ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.