ବେଗୁନିଆପଡା,୩୦/୦୮(ପିପିଟି):ବର୍ଷା ର ଲୁଚକାଳି ଖେଳରେ କୋଦଳା ଓ ଏହାର ଆଖପାଖ ଅଞ୍ଚଳରେ ଦୁଇ ଦୁଇ ଥର ବିହନ ବୁଣି ଯେନତେନ ପ୍ରକାରେ ତଳିପକାଇ ରୁଆ ବେଉଷଣ କରିଥିବା ବେଳେ ବର୍ତ୍ତମାନ ସାର ର ଅଭାବୀ ବିକ୍ରି ଚାଷୀ କୁଳକୁ ହନ୍ତସନ୍ତ କରିଦେଇଛି । ବର୍ତ୍ତମାନ ଧାନ ପାଇଁ ସାର ପକାଇବା ଉପଯୁକ୍ତ ସମୟ ହୋଇଥିବାରୁ ସାର ର ଅଭାବୀ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଉଛି । ବ୍ଲକର ୯୦୦୦ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହେଉଥିବା ବେଳେ ଆହୁରି ୬୦୦୦ ହେକ୍ଟରରୁ ଅଧିକ ଧାନ ଫସଲ ପାଇଁ ୟୁରିଆ ସାର ର ଆବଶ୍ୟକତା ପଡୁଛି । ଅପର ପକ୍ଷରେ ସମସ୍ତ ସମବାୟ ସମିତି କୁ ୟୁରିଆ ସାର ପହଞ୍ଚି ଚାଷୀ କିଛି ମାତ୍ରାରେ ପାଇଥିବା ବେଳେ କୋଦଳା ସମବାୟ ସମିତି ସେଥିରୁ ବାଦ ପଡିଛି, ଯାହା ଫଳରେ ଅଞ୍ଚଳରେ ସାର ର ଘୋର ଅଭାବ ଦେଖାଦେଇଛି,ସମବାୟ ସମିତି ସମ୍ପାଦକ ଅରୁଣ ସାହୁଙ୍କୁ ଯୋଗାଯୋଗ ପରେ ସେ କହିଥିଲେ ଯେ ଚାଷୀଙ୍କ ଆଧାର କାର୍ଡ ପଞ୍ଜିକରଣ ପାଇଁ ଆବଶ୍ୟକ ପଡୁଥିବା ମେସିନ ଆମ୍ଭକୁ ମିଳିନଥିବାରୁ ଆମ୍ଭେ ୟୁରିଆ ସାର ଉଠାଇ ପାରିଲୁ ନାହିଁ । ତେଣୁ ଯିଏ ଯେଉଁଠାରୁ ବସ୍ତା ପ୍ରତି ୭୦୦/- ପର୍ଯ୍ୟନ୍ତ ଦେଇ ସାର ୟୁରିଆ ସଂଗ୍ରହ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଚାଷୀ ସାର ବିହୁନେ ଚିନ୍ତାରେ ଅଛନ୍ତି । ଚଢା ଦରରେ ବି ମିଳୁନାହିଁ ୟୁରିଆ ସାର । ପ୍ରାୟ ସାର ଦୋକାନ ରେ ତାଲା ଝୁଲୁଛି, କେମିତି ପାଇବେ ସାର,କେମିତି ଫସଲ ଆଦାୟ କରିବେ ଚାଷୀ,ସାହୁକାରଙ୍କୁ କିପରି ଦେବେ ମହାଶୁଲ,ଭାଗଚାଷୀଙ୍କ ପାଇଁ ଏକମାତ୍ର ଭଗବାନ ହିଁ ଭରସା । ଏ ନେଇ ଚାଷୀ ଉଦୟ ମୁଦୁଲିଙ୍କ କହିବା କଥା ବର୍ତ୍ତମାନ ସାର ର ଆବଶ୍ୟକ ଥିବା ବେଳେ ମିଳୁନି ସାର, ଯଦି କେଉଁଠି ମିଳୁଛି ବୋଲି ଜାଣିବାକୁ ପାଉଛୁ ସେଠାକୁ ଦୌଡୁଛୁ, ଯଦି ମିଳିଲା ଚଢା ଦରରେ ନଚେତ ଗାଡି ଭଡା ଦେଇ ଫେରି ଆସୁଛୁ, ଏମିତି କେଉଁ ବର୍ଷ ଅଭାବୀ ନଥିଲା । ରବି ଜେନା କହିଛନ୍ତି ତଳିରେ ଘାଟା ସହି କୌଣସି ପ୍ରକାରେ ଧାନ ରୁଆ କାର୍ଯ୍ୟ ଶେଷ କରିଥିବା ବେଳେ ଆବଶ୍ୟକ ସମୟରେ ସାର ର ଅଭାବ କଷ୍ଟ ଦେଉଛି,ସମବାୟ ସମିତି ବି ଆମ୍ଭଙ୍କୁ ପରିହାସ କଲାଭଳି ଲାଗୁଛି, ପୂର୍ବରୁ ସମବାୟ ସମିତିକୁ ସାର ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସାର ପହଞ୍ଚି ନାହିଁ,ପଚାରିଲେ ସଠିକ ଉତ୍ତର ମିଳୁନାହିଁ,ଲୁଚାଛପାରେ ଯେଉଁଠି ମିଳୁଛି ୬୦୦/- ରୁ ୭୦୦/-ଟଙ୍କାରେ, ତାହା ପୁଣି ପର୍ଯ୍ୟପ୍ତ ନୁହେଁ,ଏଣୁ କଣ କରିବୁ ଧାନ ଅମଳ କେମିତି କରିବୁ ଚିନ୍ତାରେ । ନର୍ମଦା ମୁନୀ -ବର୍ତ୍ତମାନ ଆବଶ୍ୟକ ୟୁରିଆ ସାର,ସୋସାଇଟି ରେ ମିଳୁନି କି ବାହାରେ ବି ପାଉନୁ, ଯେଉଁଠାରେ ଚଢା ଡରରେ ବି ମିଳିବା ଶୁଣୁଛୁ ଦୌଡ଼ି ଯାଉଛି,ସେଠାରେ ମଧ୍ୟ ସେତେବେଳକୁ ଶେଷ ହୋଇଯାଉଛି ମିଳୁନି ୟୁରିଆ,ମୁଁ ଗରିବ ମହିଳା,ଭାଗ ଚାଷ କରି କିଛି ରୋଜଗାର କରିବାକୁ ଇଚ୍ଛା ଥିଲା,କିନ୍ତୁ ଅଭାବୀ ସାର ମୋ ଇଛାକୁ ହତାଶ କରିଦେଇଛି । କୃଷି ଅଧିକାରୀ ରାମଲାଲ ସମଦଙ୍କ କହିବା ପ୍ରକାରେ ଆମେ ଭାବିଛୁ କୋଦଳା ସମବାୟ ସମିତି ସାର ଉଠାଇଛି ବୋଲି କିନ୍ତୁ ସେ ଉଠାଇ ନଥିବା ବର୍ତ୍ତମାନ ଜାଣିବାକୁ ପାଇଲୁ । ମେସିନ ନ ପାଇବା କଥା ସେ ଜଣାଇ ନାହାଁନ୍ତି,କାହିଁକି ଏବଂ କେଉଁ କାରଣରୁ ସାର ଉଠାଇ ନାହାଁନ୍ତି ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,ଆସନ୍ତା ସପ୍ତାହରେ ପ୍ରଥମ କୋଟା କୋଦଳା ସୋସାଇଟ ରେ ପହଞ୍ଚିବ । ଦେଖିବାକୁ ବାକି ରହିଲା କିଏ ସତ କହୁଛି,କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଚାଷୀ କେମିତି ସୁବିଧାରେ ସରକାରୀ ଧାର୍ଯ୍ୟ ଟଙ୍କାରେ ସାର ପାଇପାରୁଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)