ବାସୁଦେବପୁର,୨୭/୦୩:ବର୍ଦ୍ଧିତ ଦିବ୍ୟାଙ୍ଗ ଭତ୍ତା ପାଇଁ ହନ୍ତନସନ୍ତ ହେଉଛନ୍ତି ହୀତାଧିକାରୀ । ଆଧାର ଅପଡେଟ ସହିତ ବ୍ୟାଙ୍କ ଜମାଖାତା ଅପଡେଟ ଓ ଅନୁମୋଦନ ପରି ବିଭିନ୍ନ ଆଳ ଦେଖାଇ ଅଫିସର ସମୟ ଗଡେଇ ଦେଉଥିବା ବେଳେ ଜଣେ ଦିଦ୍ୟାଙ୍କ ଘୁଷୁରି ଘୁଷୁରି ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ,ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ଶାଶୁଭୁଆଶୁଣି ପଞ୍ଚାୟତର କୁଶ ମଳିକଙ୍କ ପୁଅ ବଂଶିଧରଙ୍କୁ ବୟସ ଆସି ସତୁରି ଛୁଇଁଲାଣି । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ବେଳେ ସରକାରୀ ବ୍ୟବସ୍ଥାନୁଯାଇ ଭତ୍ତା ପାଇ ଆସୁଥିଲେ । ସରକାରଙ୍କ ବର୍ଦ୍ଧିତ ଭତ୍ତା ଟଙ୍କା ପାଇବା ପାଇଁ ଘୁଷୁରି ଘୁଷୁରି ନୟାନ୍ତ ହେଲେଣି ବଂଶିଧର । ନିର୍ଧୁମ ଖରାରେ ମଧ୍ୟାହ୍ନ ଏଗାରଟା ସମୟରେ ବ୍ଲକ ପରିସରରେ ପହଞ୍ଚିବା ପରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅମୀୟକୁମାର ନାଥଙ୍କୁ ସମସ୍ତ ଦୁଃଖ ବଖାଣିଥିଲେ । ଆଜିଯାଏଁ ବଂଶିଧରଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନଥିବା ଜାଣିବାକୁ ମିଳିଥିଲା । ଏନେଇ ଶ୍ରୀ ନାଥ ସଂପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ବୋଲି ଜଣାଇଛନ୍ତି । ଏସଇଓ ଅଭାରଞ୍ଜିତା ପୁହାଣ କୁହନ୍ତି, ବାସୁଦେବପୁର ବ୍ଲକରେ ୩୩୩ ଜଣ ଦିବ୍ୟାଙ୍ଗ ହୀତାଧିକାରୀଙ୍କ ଆବଶ୍ୟକୀୟ କାଗଜାତ ଜିଲ୍ଲା ପ୍ରଶାସନକୁ ପଠାଯାଇଛି । ଜାନୁଆରୀ ମାସ ଠାରୁ ସେମାନଙ୍କ ବକେୟା ଅର୍ଥରାଶି ବ୍ୟାଙ୍କ ଜମାଖାତାକୁ ପଠାଯିବ ବୋଲି କହିଛନ୍ତି ।