ବଡ଼ନଦୀ ଗଣ୍ଡରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ଓଡ୍ରାଫ୍ ଟିମ୍ ଦ୍ୱାରା ଶବ ଉଦ୍ଧାର ।

0 218

ବେଲଗୁଣ୍ଠା,୧୦/୦୨(ପିପିଟି ):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଓରିଗଡ଼ ଗ୍ରାମ ନିକଟସ୍ଥ ବଡ଼ନଦୀ ଗଣ୍ଡରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି ବେଲଗୁଣ୍ଠା ଥାନା ଜିରୋଳି ଗ୍ରାମର ବାବୁଲା ନାୟକ (୩୯)।
ମିଳିଥିବା ସୂଚନା ମୁତାବକ, ବାବୁଲା ଓରିଗଡ଼ ଗ୍ରାମରେ ଥିବା ତାଙ୍କ ମାମୁଁ ଖଦାଳ ରାଉତଙ୍କ ଘରକୁ ବୁଲି ଆସିଥିଲେ। ଗତ ରବିବାର ସନ୍ଧ୍ୟାରେ ସେ ଗାଧୋଇବା ପାଇଁ ବଡ଼ନଦୀକୁ ଯାଇଥିବା ବେଳେ ପ୍ରାୟ ୭ ଫୁଟ ଗଭୀର ଗଣ୍ଡ ପାଣିରେ ବୁଡ଼ି ଯାଇଥିଲେ। ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ ନଦୀ ହିଡ଼ରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ।ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ରାତିରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଶବ ମିଳିନଥିଲା। ଆଜି ସକାଳୁ ଓଡ୍ରାଫ୍ ଟିମ୍ ପହଞ୍ଚି ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପରେ ଦିନ ପ୍ରାୟ ୧୧:୩୦ ସମୟରେ ବାବୁଲାଙ୍କ ଶବ ଉଦ୍ଧାର ହୋଇଥିଲା।ଏହି ଘଟଣାରେ ଗାଙ୍ଗପୁର ଥାନାରେ (୪/୨୬)ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ଏସ.ଆଇ ଅଜୟ ମଲିକ ଏହାର ତଦନ୍ତ କରୁଥିବା ନେଇ ଥାନାଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି । ମୃତକ ବାବୁଲା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିରୋଳି ଓ ଓରିଗଡ଼ ଗ୍ରାମବାସୀ ଦାବି କରିଛନ୍ତି।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.