- ଭୁବନେଶ୍ୱର,୧୪/୦୨(ପିପିଟି): ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଏବଂ ସ୍ଵାଧୀନ ଫେଡେରେସନମାନଙ୍କ ପକ୍ଷରୁ କେନ୍ଦ୍ରର ମୋଦି ସରକାରଙ୍କ ଜନବିରୋଧୀ ନୀତି, କୃଷକ-ଶ୍ରମିକ ବିରୋଧୀ ଆଇନ ପ୍ରତିବାଦରେ ୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ ଏବଂ ଗ୍ରାମୀଣ ଭାରତ ବନ୍ଦ କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ”, ଓଡିଶା ରାଜ୍ୟ କମିଟି ସମର୍ଥନ ଘୋଷଣା କରିଛି ।
ଆସନ୍ତା ଫେବୃଆରୀ ୧୬ ତାରିଖ ଦିନ ଆହୁତ ଏହି ଦେଶବ୍ୟାପୀ ହରତାଳ / ଗ୍ରାମୀଣ ଭାରତ ବନ୍ଦ କୁ ସଫଳ କରିବା ପାଇଁ ପାର୍ଟିର ସମସ୍ତ ଗଣସଂଗଠନର ସାଥିମାନେ ସକ୍ରିୟ ଭାବରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ପ୍ରତିବାଦ ଏବଂ ଶକ୍ତିଶାଳୀ ଜନଆନ୍ଦୋଳନ ହିଁ ଭାରତର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯାଇ ପାରିବ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ପ୍ରକାଶ କରାଯାଇଛି । ମୋଦୀ ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତି ଫଳରେ ସମଗ୍ର ଦେଶ କମ୍ପାନୀମାନଙ୍କ ଅକ୍ତିଆର କୁ ଚାଲି ଯିବାରେ ଲାଗିଛି । ଦେଶରେ ବେକାରୀ, ଦରଦାମ ବୃଦ୍ଧି ଆଦି ଚରମ ସୋପାନରେ ପହଂଚିଲାଣି । ଦେଶର ସରକାର ଏକ ନିର୍ଦିଷ୍ଟ ସମ୍ପ୍ରଦାୟର ପକ୍ଷଭୁକ୍ତ ହୋଇ କାର୍ଯ୍ୟ କରୁଛନ୍ତି । ଯାହା ବିରୁଦ୍ଧରେ ସାରାଦେଶ ସମେତ ଆମ ରାଜ୍ୟର ଦେଶପ୍ରେମୀ ଜନଗଣ ଦେଶ ଓ ଦେଶବାସୀଙ୍କ ସ୍ୱାର୍ଥରେ ଏହି ଦେଶ ବ୍ୟାପୀ ହରତାଳ / ଗ୍ରାମୀଣ ଭାରତ ବନ୍ଦ ରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଆହ୍ୱାନ ଜଣାଇଛନ୍ତି ।