ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମ୍ବନ୍ଧୀୟ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଭୁବନେଶ୍ୱର,୧୭/୦୪(ପିପିଟି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମ୍ବନ୍ଧୀୟ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରସ୍ଥ ନେତାଜୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମକରି ଏକ ରାଜନୈତିକ ଦଳ ନିଜର ପ୍ରାର୍ଥୀମାନଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଓ ଭୋଟରମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେଇ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରିଛି । ଫରୱାର୍ଡ଼ ବ୍ଲକ୍ର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନ୍ଜୀବୀ ବିଭୂପ୍ରସାଦ ତ୍ରିପାଠୀ ମୂଖ୍ୟ ପ୍ରଶିକ୍ଷକ ଭାବରେ ଯୋଗଦେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଯୋଗଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ, ସାମ୍ପ୍ରତିକ ପରିସ୍ଥିତିରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ସଂକ୍ରାନ୍ତରେ ଭୋଟରମାନଙ୍କର ଜାଣିବା ସହିତ ପ୍ରାର୍ଥୀମାନେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି । ନିଜର ପ୍ରାର୍ଥୀପତ୍ର ଦାଖଲ ବେଳେ ନିଜର ଆୟଠାରୁ ଆରମ୍ଭ କରି ନିଜ ବିରୁଦ୍ଧରେ ଥିବା କୌଣସି ମାମଲାର ସବିଶେଷ ବିବରଣୀ ପ୍ରାର୍ଥୀମାନେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାର ଆଇନଗତ ବ୍ୟବସ୍ଥା ଥିବାରୁ ମିଥ୍ୟା ସତ୍ୟପାଠ କଲେ ପ୍ରାର୍ଥୀମାନେ ପରବର୍ତ୍ତୀ ଅବସ୍ଥାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି । ସମସ୍ତ ନିର୍ବାଚନର ଖର୍ଚ୍ଚର ଆୟବ୍ୟୟ ଭୋଟ ପରବର୍ତ୍ତୀ ଅବସ୍ଥାରେ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବାକୁ ଥିବାରୁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଂଟ୍ ପ୍ରାର୍ଥୀ କିମ୍ବା ଉଭୟ ପ୍ରାର୍ଥୀ ଓ ଏଜେଂଟଙ୍କ ନାମରେ ଖୋଲିବା ଜରୁରୀ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାଇ ଡ଼କ୍ୟୁମେଂଟେସନ୍ ଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ଏବଂ ଭୋଟ ପର୍ଯ୍ୟନ୍ତ ଜଣେ ଦାୟିତ୍ୱବାନ ନାଗରିକର ଭୂମିକା ତୁଲାଇ ଭାରତୀୟ ଗଣତାନ୍ତ୍ରୀକ ବ୍ୟବସ୍ଥା ଓ ମୂଲ୍ୟବୋଧକୁ ସଶକ୍ତ କରିବା ପାଇଁ ଆହ୍ୱାନ କରିଥିଲେ । ଧର୍ମ, ଜାତି, ସାମ୍ପ୍ରଦାୟିକତାବାଦ ଆଧାରରେ ଫରୱାର୍ଡ଼ ବ୍ଲକ୍ର ପ୍ରାର୍ଥୀମାନେ କୌଣସି ଉତେଜକ ଭାଷଣ ନଦେଇ,କାହାରିକୁ ବ୍ୟକ୍ତିଗତ ଆକ୍ଷେପ ନକରି ନେତାଜୀଙ୍କ ଭାବାଦର୍ଶ,ସୁଭାଷବାଦୀ ବିଚାରଧାରା ଓ ଏହାର ପ୍ରଭାବ ଓ ଫରୱାର୍ଡ଼ ବ୍ଲକ୍ର ରାଜନୈତିକ ଇସ୍ତାହାରକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନେତାଜୀଙ୍କ ସ୍ୱପ୍ନର ଜନତାଙ୍କ ଶାସନ ସଂକ୍ରାନ୍ତରେ ପ୍ରଚାର କରି ଫରୱାର୍ଡ଼ ବ୍ଲକ୍ର ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବା ପାଇଁ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ଏହି ଅବସରରେ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକ୍ର ରାଜ୍ୟ ନେତା ତଥା ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜିତେନ୍ଦ୍ରୀୟ ବେହେରା, ଫରୱାର୍ଡ଼ ବ୍ଲକ୍ର ବରିଷ୍ଠ ନେତା ସମରଜିତ୍ ମହାନ୍ତି, ଫରୱାର୍ଡ଼ ବ୍ଲକ୍ର ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁଶିଲ୍ ଥାନପତି, ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଚୈତନ ବାଗ, ଜୟପୁର ବିଧାୟକ ପ୍ରାର୍ଥୀ ବି. ହରି ରାଓ, କାକଟପୁର ବିଧାୟକ ପ୍ରାର୍ଥୀ ରବିନ୍ଦ୍ରନାଥ କାଣ୍ଡି, ବାଲେଶ୍ୱର ବିଧାୟକ ପ୍ରାର୍ଥୀ ଏସ୍.କେ. ଅବଦୁଲ ତାଲିବ୍, ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ଟଙ୍କଧର ଶବର, କଂଟାବାଞ୍ଜି ବିଧାୟକ ପ୍ରାର୍ଥୀ ଅଭିରାମ ଧାରୁଆ, ତାଳଚେର ବିଧାୟକ ପ୍ରାର୍ଥୀ ମନୋଜ କୁମାର ଜେନା, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ପିଣ୍ଟୁ ପ୍ରଧାନ,ଜୁନାଗଡ଼ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ବୈଠାରୁ,ଭଞ୍ଜନଗର ବିଧାୟକ ପ୍ରାର୍ଥୀ ରାଜୁ ନାୟକ, ଭୁବନେଶ୍ୱର ମଧ୍ୟ ବିଧାୟିକା ପ୍ରାର୍ଥୀନୀ ଲକ୍ଷ୍ମୀ ଦୋରା, ଶ୍ରମିକ ନେତା ନିରଞ୍ଜନ ରାଉତ, ବିଜୟ ସାହୁ, କୃଷକ ନେତା ଗଦାଧର ଜେନା, ଛାତ୍ରନେତା ଦିଶା ଆଜାଦ୍, ଦୀପକ ପୂଜାରୀ ପ୍ରମୂଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରାର୍ଥୀ ଓ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ୩୦ ରୁ ଉର୍ଦ୍ଧ୍ବ ଆସନରେ ନିର୍ବାଚନ ଲଢ଼ିବା ପାଇଁ ନିଜସ୍ୱଭାବେ ପ୍ରସ୍ତୁତି ଆରମ୍ଭ କରିଛି ।