ପ୍ରେମ କେତେବେଳେ କାହାକୁ ହୋଇବ
କିଏ ବା ପାରିବ କହି…..
ଯଦି ହେଲା ପ୍ରେମ ଜୀବନରେ କେବେ
ପଥ ଘୂଞ୍ଚା ହେବା ନାହିଁ….!!
କାୟ ମନ ବାକ୍ଯ ଏକତ୍ର କରିଣ
ପ୍ରେମଟା ପବିତ୍ର ହେଉ….
ସ୍ୱାର୍ଥ ସିଦ୍ଧ କରି ଛଳନା ଆଚରି
ମାନ ମହତ୍ ନ ଯାଉ….!!
ଦୁଇଟି ଆତ୍ମାର ମିଳନ ହିଁ ପ୍ରେମ
ତ୍ୟାଗର ଗୁରୁତ୍ବ ବେଶୀ….
ଶାଶ୍ବତ ପ୍ରେମଟି ଚିର ଭାସ୍ବର
ମନ ପ୍ରାଣେ ଭରେ ଖୁସି….!!
ଯେଉଁ ପ୍ରେମେ ଅଛି କଳଙ୍କର ଛିଟା
ଜୀବନେ ଯନ୍ତ୍ରଣା ଭରେ…..
ନର୍କେ ଜର୍ଜରିତ ହୃଦୟ ସନ୍ତାପ
ନୟନୁ ଲୋତକ ଝରେ….!!
ପ୍ରେମ ଜୀବନରେ ଆସିଥାଏ ଥରେ
ଆସେ ନାହିଁ ବାରମ୍ବାର….
କେଉଁ ପ୍ରେମ ମିଠା କେଉଁ ପ୍ରେମ ଖଟା
ବୁଦ୍ଧି ବିବେକେ ପଚାର….!!
ପ୍ରେମ କେତେ ବେଳେ ମିଠା ଜହ୍ନ ରାତି
କେବେ ହାଡ ଭଙ୍ଗା ଶୀତ….
କେତେବେଳେ ଗ୍ରୀଷ୍ମ – ମଧ୍ୟାହ୍ନ – ଉତ୍ତପ୍ତ
ପାହାନ୍ତି ଶିଶିର ପାତ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)